Bikash Khabar
ରିଅଲ ଇଷ୍ଟେଟ୍‌ ପାଇଁ ୨୫ ହଜାର କୋଟିର ପାଣ୍ଠି

 ରିଅଲ ଇଷ୍ଟେଟ୍କ୍ଷେତ୍ର ଲାଗି ଆଜି ୨୫ ହଜାର କୋଟି ଟଙ୍କାର ନୂତନ ପାଣ୍ଠି ଘୋଷଣା କରାଯାଇଛି। ଘର କିଣିବା ଲାଗି ଟଙ୍କା ଦେଇ ଫସିଯାଇଥିବା ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ଉଦେଶ୍ୟରେ ଏହି ପାଣ୍ଠି ଗଠନ କରାଯାଇଛି। ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍‌) ଗଠନ କରିବା ବିଷୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପାଣ୍ଠି ଲାଗି ସରକାର ନିଜ ଆଡ଼ୁ ୧୦ ହଜାର କୋଟି ଟଙ୍କାର ଯୋଗଦାନ ପ୍ରଦାନ କରିବେ। ଏଲ୍ଆଇସି, ଷ୍ଟେଟ୍ବ୍ୟାଙ୍କ ଭଳି ସଂସ୍ଥା ଠାରୁ ମଧ୍ୟ ଏହି ପାଣ୍ଠିକୁ ଟଙ୍କା ମିଳିବ। ମୋଟ ଉପରେ ଏଥିରେ ୨୫ ହଜାର କୋଟି ଟଙ୍କା ରହିବ। ଏହି ପାଣ୍ଠିର ପରିଚାଳନା କରିବ ଏସ୍ବିଆଇ କ୍ୟାପ୍ସ୍ ଅଧା ବାଟରେ ଲଟକି ରହିଥିବା ବାସଗୃହ ପ୍ରକଳ୍ପଗୁଡ଼ିକ ଏହି ପାଣ୍ଠିରୁ ଟଙ୍କା ହାସଲ କରିପାରିବେ। ସରକାର ଚାହୁଛନ୍ତି ପାଣ୍ଠିରେ ଥିବା ଟଙ୍କା ସମ୍ପୂର୍ଣ୍ଣ ବ୍ୟବହାର ହେଉ ଏବଂ ଗ୍ରାହକମାନଙ୍କୁ ଶୀଘ୍ର ଘର ମିଳୁ। ତେବେ ଏଥିରୁ କେବଳ ସେହି ପ୍ରକଳ୍ପକୁ ପାଣ୍ଠି ଦିଆଯିବ ଯେଉଁମାନଙ୍କ ଆର୍ଥିକ ସ୍ଥିତି (ନିଟ୍ସମ୍ପତ୍ତି) ଭଲ ଥିବ। ରେରା ନିୟମ ଅଧୀନରେ ପଞ୍ଜିକୃତ ହୋଇଥିବା ପ୍ରକଳ୍ପଗୁଡ଼ିକୁ ପାଣ୍ଠିରୁ ଟଙ୍କା ମିଳିବ। ଏନ୍ସିଏଲ୍ଟିକୁ ଟଣା ହୋଇଥିବା କଂପାନିଗୁଡ଼ିକ ମଧ୍ୟ ଏହି ପାଣ୍ଠିରୁ ଟଙ୍କା ପାଇପାରିବେ। ତେବେ ସର୍ତ୍ତ ହେଉଛି ସେମାନଙ୍କ ବିରୋଧରେ କଂପାନି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇନଥିବା ଦରକାର। ସୁଲଭ ମଧ୍ୟମ ଆୟ ବର୍ଗର ବାସଗୃହ ପ୍ରକଳ୍ପ ମଧ୍ୟ ଏହି ପାଣ୍ଠି ଦ୍ବାରା ଲାଭବାନ ହୋଇପାରିବେ। ଋଣ ଦେଇଥିବା ସଂସ୍ଥା ଯଦି କୌଣସି ପ୍ରକଳ୍ପକୁ ଏହି ପାଣ୍ଠିରୁ ଟଙ୍କା ଦିଆଯାଉ ବୋଲି କହିବେ ସେଭଳି କ୍ଷେତ୍ରରେ ଉକ୍ତ କଂପାନିକୁ ମଧ୍ୟ ଏହି ପାଣ୍ଠିରୁ ଟଙ୍କା ପ୍ରଦାନ କରାଯିବ।

10/11/2019

Leave a Reply

Your email address will not be published. Required fields are marked *

Comments