Bikash Khabar
୫୦ ବର୍ଷରେ ପହଂଚିଲା ପୁରୁଣା ଅମାଙ୍ଗର ମକର ମେଳା : ପୂଜାର୍ଚ୍ଚନା, ନାଚ ଗୀତ, ବନ୍ଧୁମିଳନରେ ମୁଖରିତ ହେଉଛି ଗାଁ ପରିବେଶ

ଢେଙ୍କାନାଳ ଜିଲ୍ଲାର ସବୁଠୁ ପ୍ରାଚୀନ ପୁରୁଣା ଅମାଙ୍ଗ ଗାଁର ମକର ମେଳାକୁ ପୁରିଛି ୫୦ ବର୍ଷ । ବ୍ରାହ୍ମଣୀ ନଦୀ କୂଳରେ ଥିବା ମା ରାମଚଣ୍ଡୀ ମନ୍ଦିର ହୋଇଉଠିଛି ଚଳଚଂଚଳ । ଗାଁ ପାଲଟିଛି ଲୋକାରଣ୍ୟ । ଭୋଜିଭାତ, ନାଚଗୀତ, ମକର ମିଳନ ସାଙ୍ଗକୁ ମା’ଙ୍କ ପୀଠରେ ପୂଜାର୍ଚ୍ଚନା ଗାଁ ପରିବେଶକୁ ଆଧ୍ୟାତ୍ମିକମୟ କରିଛି ।

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ପୁରୁଣା ଅମାଙ୍ଗ ଗାଁରେ ଗତ ୧୪ ତାରିଖ ଠାରୁ ଚାଲିଛି ମକର ମେଳା । ଏହା ଜାନୁଆରୀ ୧୭ ତାରିଖ ରାତ୍ରି ଯାଏ ଚାଲିବ । ଏଥିପାଇଁ ମା ଚଣ୍ଡୀଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଆଖ ପାଖ ଅଂଚଳରୁ ସମବେତ ହୋଇଛନ୍ତି ଭକ୍ତ ଓ ଦର୍ଶକ । ବିଗତ ୫୦ ବର୍ଷ ଧରି ଏହି ଗାଁର ଲୋକେ ମକର ମେଳାର ଆୟୋଜନ କରିଆସିଛନ୍ତି । ମେଳା ପାଇଁ ଗାଁ ପାଲଟିଛି ସହର । ରାମଦୋଳି ସାଙ୍ଗକୁ ଭଳିକି ଭଳି ମନୋହରୀ ସାମଗ୍ରୀ, ଘରକରଣା ସାମଗ୍ରୀ, ଜଳଖିଆ ଦୋକାନ ମାନ ଖୋଲିଛି । ସାମୁହିକ ପ୍ରସାଦ ସେବନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ପ୍ରଫୁଲ୍ଲିତ ହେଉଛନ୍ତି । ମା’ଙ୍କ ପୀଠରେ ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯଜ୍ଞ । ୧୭ ତାରିଖରେ ପୁର୍ଣ୍ଣାହୂତି ହେବ । ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ  ସମସ୍ତ ପ୍ରକାର ସହାୟତା କରାଯାଇଛି । ବ୍ୟାପକ ପୋଲିସ ବନ୍ଦୋବସ୍ତ ହୋଇଛି । ଚଳିତ ବର୍ଷ ମକର ମେଳା ତାର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଥିବାରୁ ସମସ୍ତ ସଦସ୍ୟ ବେଶ୍ ଉତ୍ସାହିତ ଥିବା ମେଳା କମିଟିର ସଂପାଦକ ଶ୍ରୀକାନ୍ତ ଖଟୁଆ କହିଛନ୍ତି ।

15/01/2019

Leave a Reply

Your email address will not be published. Required fields are marked *

Comments