Bikash Khabar
ଏକାକୀ ୩୩ ଫୁଟର କୂଅ ଖୋଳି ଗାଁ ଲୋକଙ୍କ ଶୋଷ ଦୂର କଲେ ଏହି ୭୦ ବର୍ଷର ବୃଦ୍ଧ

  ବୁନ୍ଦେଲଖଣ୍ଡ ଅଂଚଳର ଛତରପୁର ଜିଲ୍ଲା ଏକ ମରୁଡ଼ି ପ୍ରବଣ ଅଂଚଳ । ଏଠାରେ ଜଳ ସଙ୍କଟ ଲୋକଙ୍କୁ ପଳାୟନ ଲାଗି ବାଧ୍ୟ କରାଇଥାଏ । ପ୍ରତାପପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ହଦୁଆ ଗାଁର ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ସୀତାରାମ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ୨୦୧୫ରୁ ଏକ କୂଅ ଖୋଳିବା ଆରମ୍ଭ କରି ୨୦୧୭ ଶେଷ ବେଳକୁ ୩୩ଫୁଟ ଖୋଳି ଜଳ ନିକଟରେ ପହଂଚିଗଲେ ।

ସୀତାରାମଙ୍କ ଏପରି ସଂଘର୍ଷ ଛତରପୁର ଜିଲ୍ଲାର ଏକ ପ୍ରେରଣାଦାୟୀ କାହାଣୀରେ ପରିଣତ ହୋଇଛି । ଅବିବାହିତ ଏହି ବୃଦ୍ଧଙ୍କ ପାଇଁ ହଦୁଆ ଗାଁରୁ ହଟିଯାଇଛି ଜଳ କଷ୍ଟ । ବିହାରର ଦଶରଥ ମାନଝୀ ୨୨ ବର୍ଷ ପାହାଡ଼ କାଟି ୫୫ କିମି ରାସ୍ତାକୁ ୧୫ କିମିରେ ପହଂଚାଇ ପାରିଲା ଭଳି ମଧ୍ୟପ୍ରଦେଶର ଏହି ୭୦ ବର୍ଷର ବୃଦ୍ଧ ସୀତାରାମ ୩୩ ଫୁଟର କୂଅକୁ ଏକାକୀ ୨ବର୍ଷ କାଳ ଖୋଳି ଖୋଳି ଗାଁ ଲୋକଙ୍କୁ ଜଳ ପହଂଚାଇଛନ୍ତି । ସୀତାରାମ ତାଙ୍କ ସାନଭାଇଙ୍କ ପରିବାର ସହିତ ରହୁଛନ୍ତି ।

ସୀତାରାମ ପ୍ରତିଦିନ ସକାଳୁ କୂଅ ଖୋଳିଥାନ୍ତି । ଦ୍ୱିପ୍ରହରର ବିଶ୍ରାମ ପରେ ପୁଣି ଅପରାହ୍ନରେ ଲାଗିପଡ଼ନ୍ତି କାମରେ । ୧୮ ମାସର କଠିନ ପରିଶ୍ରମକୁ ତାଙ୍କ ସାନ ଭାଇ ବିରୋଧ କରୁଥିଲେ । ବିରୋଧ କୂଅ ଖୋଳିବା ପାଇଁ ନଥିଲା, ବରଂ କାଳେ ପାଣି ନବାହାରିଲେ ପରିଶ୍ରମ ବୃଥା ହୋଇଯିବ ବୋଲି । ଶେଷରେ ସୀତାରାମ ପରିଶ୍ରମର ଫଳ ପାଇଲେ । 

07/07/2018

Leave a Reply

Your email address will not be published. Required fields are marked *

Comments