Bikash Khabar
ନବମ ଶ୍ରେଣୀ ଛାତ୍ରୀ ତିଆରି କଲେ ବର୍ଷା ଜଳରୁ ବିଜୁଳି ଉତ୍ପାଦନ କରିପାରୁଥିବା ଉପକରଣ

  ପୂର୍ବ ୟୁରୋପ ଏବଂ ଏସିଆର ମଧ୍ୟ ଭାଗରେ ଅବସ୍ଥିତ ଅଜରବୈଦାନ ଏକ ଗଣ ରାଜ୍ୟ । ଏଠାର ମାତ୍ର ୭ ପ୍ରତିଶତ ଅଂଚଳ ହେଉଛି କୃଷି ଯୋଗ୍ୟ । ଏହାର ଜଣେ ନବମ ଶ୍ରେଣୀ ଛାତ୍ରୀ ଏବେ ବର୍ଷା ଜଳରୁ ବିଜୁଳି ଅମଳର ଉପକରଣ ତିଆରି କରି ପ୍ରଶଂସା ପାଇଛନ୍ତି । ତାଙ୍କର ଏଭଳି ନିଆରା ଉପକରଣ ପାଇଁ ସ୍ଥାନୀୟ ସରକାର ତାଙ୍କୁ ୨୦ ହଜାର ଡ଼ଲାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି ।

କଅଁଳ ମନରେ ନବ ସର୍ଜନାର ପରିକଳ୍ପନା ଘୁରି ବୁଲୁଥାଏ । ଉପଯୁକ୍ତ ପରିବେଶ ପାଇଲେ ସ୍ୱପ୍ନ ବାସ୍ତବରେ ପରିଣତ ହୁଏ । ଠିକ୍ ସେଭଳି ଆକାଶରେ ବଜ୍ରପାତ ଦେଖି କୁନି ଝିଅ ରେଗାନ ଜାମାଲୋବା ତାଙ୍କ ବାପାଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ମେଘରୁ ବିଜୁଳି ହେଉଛି, ତେବେ ବର୍ଷା ପାଣିରୁ କାହିଁକି ନୁହେଁ? ଏଭଳି ପ୍ରଶ୍ନକୁ ନେଇ ସେ ଆଗକୁ ବଢିଥିଲେ । ଏଥିରେ ତାଙ୍କର ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସହଯୋଗ କରିବାକୁ ଆଗେଇ ଆସିଥିଲେ । ରେଗାନ ଜାମାଲୋବା ନିଜର ଜଣେ ବାନ୍ଧବୀଙ୍କୁ ଏହି କାର୍ଯ୍ୟରେ ସାଥୀ କରି ଆରମ୍ଭ କଲେ ବର୍ଷାଜଳରୁ ବିଜୁଳି ଅମଳ କରିବାର ଉପକରଣ । ଶେଷରେ ତାଙ୍କୁ ମିଳିଲା ସଫଳତା । ତିଆରି ହେଲା ବର୍ଷା ଜଳରୁ ବିଜୁଳି ଅମଳର ଉପକରଣ । ଏହି ଉପକରଣ ୪ ଭାଗରେ ବିଭକ୍ତ । ଗୋଟିଏ ବର୍ଷା ଜଳ ସଂଗ୍ରହ ଗଚ୍ଛିତ ପାଇଁ ଟାଙ୍କି, ବୈଦ୍ୟୁତିକ ଜେନେରେଟର ଏବଂ ବ୍ୟାଟେରୀ । ଟ୍ୟାଙ୍କରେ ପାଣି ପ୍ରବେଶ ହେବା ମାତ୍ରେ ଜେନେରେଟର ଚାଲେ ଏବଂ ବିଜୁଳି ଉତ୍ପାଦନ ହୋଇଥାଏ ବୋଲି ରେଗାନ କହନ୍ତି । ବର୍ଷା ଅଧିକ ଓ ବିଜୁଳି ସଙ୍କଟକୁ ଦେଖି ସେ ଏପରି ପରିକଳ୍ପନା କରିଥିବା କହନ୍ତି । 

12/07/2018

Leave a Reply

Your email address will not be published. Required fields are marked *

Comments