Bikash Khabar
ଆବାସ ଯୋଜନା, ବାଦ୍ ପଡ଼ିଛନ୍ତି ବହୁ ଯୋଗ୍ୟ ବ୍ୟକ୍ତି

ସରକାରଙ୍କ ହିତାଧିକାରୀ ଚୟନରୁ ବହୁ ଯୋଗ୍ୟ ବ୍ୟକ୍ତି ବାଦ୍ ପଡ଼ିଛନ୍ତି । ବିଜେଡ଼ି ନେତାଙ୍କ ସୁପାରିଶ ସାଙ୍ଗକୁ ହାକିମମାନଙ୍କୁ ଘର ପିଛା ୨୦ ହଜାର ଲାଂଚ ନଦେଲେ ମିଳୁନି ଆବାସ ଯୋଜନା ସହାୟତା । ନିରାକାରପୁର ଅଂଚଳର ଲକ୍ଷ୍ମୀଧର ବେହେରା ପିସି ଦେବାରେ ଅକ୍ଷମତା କାରଣରୁ ଘର ମିଳୁନଥିବା ଅଭିଯୋଗ ଆଣିଥିଲେ । ମୁଁ ମଲେ କ’ଣ ଘର ଦେବ କି ବୋଲି କଟାକ୍ଷ କରିବା ସହ ସତକୁ ସତ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ ଲକ୍ଷ୍ମୀଧର । ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ପୂର୍ବର ବୟାନ ସତ ହେଲା । ତାଙ୍କ ମୃତ୍ୟୁ ପରେ ଗୃହନିର୍ମାଣ ପାଇଁ ଏକ ଚେକ୍ ମୃତକଙ୍କ ପତ୍ନୀଙ୍କ ହାତରେ ଦେଇଛନ୍ତି ସ୍ଥାନୀୟ ବିଡ଼ିଓ । ଲକ୍ଷ୍ମୀଧରଙ୍କ ଭଳି ଶହ ଶହ ଗରିବ ଲୋକ ସରକାରୀ ଯୋଜନାରେ ପକ୍କାଘର ପାଇବା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ କଚା ଘରକୁ ପକ୍କା କରାଯିବ ବୋଲି ବିଜେଡ଼ି ତାର ନିର୍ବାଚନୀ ଇସ୍ତାହାରରେ ଦର୍ଶାଇଥିଲା । ହେଲେ ଏହି ଲକ୍ଷ୍ୟ ୨୦୧୯ ସୁଦ୍ଧା ପୂରଣ ହୋଇପାରିବ ନାହିଁ ବୋଲି ପଂଚାୟତିରାଜ ମନ୍ତ୍ରୀ  ରମେଶ ମାଝୀ ସୂଚାଇଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ଏବଂ ପକ୍କାଘର ଯୋଜନା (ଖଣି) ମାଧ୍ୟମରେ ସରକାର ୨୫ ଲକ୍ଷ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ବୋଲି କହିଥିଲେ ହେଲେ ଅଦ୍ୟାବଧି ୨୦ ଲକ୍ଷ ୧୮ ହଜାର ୭୭୯ ଜଣଙ୍କୁ ଘର ଦିଆଯାଇଛି । ବିଜେଡ଼ି ତାର ୨୦୧୪ ନିର୍ବାଚନୀ ଇସ୍ତାହାରରେ ସଭିଁଙ୍କ ପାଇଁ ଘର, ଗରିବଙ୍କ ସ୍ୱପ୍ନ ହେବ ସାକାର ବୋଲି ଯେଉଁ ସ୍ୱପ୍ନ ଦେଖାଇଥିଲା ତାହା କେତେ ଦୂର ସଫଳ ହୋଇଛି ନିରାକାରପୁରର ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ସୂଚାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି ।

19/01/2019

Leave a Reply

Your email address will not be published. Required fields are marked *

Comments