Bikash Khabar
ଚିତ୍ରଶାଳାରେ ମକର ପର୍ବ, ଶିଳ୍ପୀଙ୍କ ତୂଳୀ ତୋଳିଧରିଲା ଓଡ଼ିଆ ଘରର ପର୍ବ ମହତ୍ତ୍ୱ

ବନ୍ଧୁମିଳନ, ଭାଇଚାରା ଓ ସଂକ୍ରାନ୍ତି ସଂସ୍କୃତିର ଶ୍ରେଷ୍ଠ ପର୍ବ ମକରକୁ ନେଇ ଓଡ଼ିଆ ପରିବାର ଗୁଡ଼ିକ ଉତ୍ସବ ମୁଖର ହୋଇଉଠିଥିବା ବେଳେ ସହରର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ, ଫେଜ୍-୨ଠାରେ ସ୍ଥାପିତ ଚିତ୍ରଶିକ୍ଷା ଅନୁଷ୍ଠାନ ଚିତ୍ରଶାଳା ତା’ର ବିଦ୍ୟାର୍ଥୀଙ୍କ ମଧ୍ୟରେ ମକର ପର୍ବକୁ ନେଇ ଏକ ସ୍ୱତନ୍ତ୍ର ଚିତ୍ରାଙ୍କନ ଶିବିରର ଆୟୋଜନ କରିଛନ୍ତି । ମକର ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ଆୟୋଜିତ ଏହି ଚିତ୍ର ଶିବିର ଜରିଆରେ ଆମ ସଂସ୍କୃତିରେ ସଂକ୍ରାନ୍ତିର ବୈଶିଷ୍ଟ୍ୟତାକୁ ନେଇ ସଚେତନତା କରାଯାଇଛି । କୁନି ଚିତ୍ରଶିଳ୍ପୀମାନେ ମକର ସଂକ୍ରାନ୍ତିର ବୈଶିଷ୍ଟ୍ୟ ବୁଝିବା ସହ ଏହି ପର୍ବ ସହ ଜଡ଼ିତ ବିଷୟକୁ ନେଇ ଚିତ୍ର ଆଙ୍କିଥିଲେ । ସୂଚନାଯୋଗ୍ୟ ଯେ ଆମ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସମେତ ଉପକୂଳ ଓଡ଼ିଶାରେ ମକର ସଂକ୍ରାନ୍ତି ଧୁମଧାମରେ ପାଳିତ ହୁଏ । ଏହି ଦିନ ପ୍ରୟାଗରାଜରେ ଆରମ୍ଭ ହୁଏ କୁମ୍ଭମେଳା । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ନାମରେ ପାଳନ କରାଯାଉଥିବାବେଳେ ଗୁଜୁରାଟରେ ଉତ୍ତରାୟଣ କୁହାଯାଏ । ଧୁମଧାମରେ ପାଳିତ ହୁଏ ଗୁଡ଼ି ଉଡ଼ା ପର୍ବ । ହରିୟାଣା, ପଞ୍ଜାବରେ ଏହାକୁ ମାଘି ନାମରେ ପାଳନ କରାଯାଏ । ସୂର୍ଯ୍ୟଙ୍କ ଉତ୍ତରାୟଣର ଏହି ପର୍ବରେ ସାରା ଦେଶ ମସଗୁଲ୍ ରହେ । ଚିତ୍ରଶିଳ୍ପୀମାନେ ଗୁଡ଼ି, ମକର ଚାଉଳ, ସୂର୍ଯ୍ୟଙ୍କ ଉତ୍ତରାୟଣ, ଧାର୍ମିକ ସ୍ନାନ, ପୂଜାର୍ଚ୍ଚନାର ଚିତ୍ରରେ ଏହି ପର୍ବର ମହତ୍ତ୍ୱ ପ୍ରତିପାଦିତ କରାଇଥିଲେ । ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ ଏହାକୁ ପରିଚାଳନା କରିଥିଲେ ।

14/01/2019

Leave a Reply

Your email address will not be published. Required fields are marked *

Comments