Bikash Khabar
ଚିତ୍ରଶାଳାର କୁନିଶିଳ୍ପୀଙ୍କୁ ମାର୍ଗଦର୍ଶନ କରାଇଲେ ବିଶିଷ୍ଟ ଶିଳ୍ପୀ ଡ଼ାକ୍ତର ଦୀନବନ୍ଧୁ

ବୃତ୍ତିରେ ସେ ଜଣେ ଡ଼ାକ୍ତର । ନିଶା ତାଙ୍କର ଚିତ୍ର ଅଙ୍କନ । କୌଣସି କଳା ବିଦ୍ୟାଳୟ ବା ମହାବିଦ୍ୟାଳୟରେ ପାଠ ପଢିନଥିଲେ ହେଁ ତାଙ୍କ ଦ୍ୱାରା ଅଙ୍କିତ ଚିତ୍ରକୁ ଦେଖିଲେ ଜଣେ ସହଜରେ ଆଖି ଫେରେଇ ନେଇପାରିବ ନାହିଁ । ବଡ଼ ବଡ଼ ପେଶାଦାର ଶିଳ୍ପୀମାନଙ୍କ ଭଳି କାନଭାସରେ ସାମାଜିକ ଜୀବନ ଓ କାବ୍ୟିକ ପରିକଳ୍ପନାକୁ ଜୀବନ୍ୟାସ ଦେବାରେ ଧୂରୀଣ ହୋଇପାରିଛନ୍ତି ଡ଼ାକ୍ତର ଦୀନବନ୍ଧୁ ସାହୁ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭେଷଜ ବିଭାଗରେ କାର୍ଯ୍ୟରତ ଡ଼ାକ୍ତର ସାହୁ ସହରର ପରଦେଶୀ ପଡ଼ାରେ ରୁହନ୍ତି । ସକାଳ ହେବା ମାତ୍ରେ ଡ଼ାକ୍ତରଖାନାରେ କାଗଜ କଲମ, ଷ୍ଟେଥୋ, ସିରିଞ୍ଜ, ତୁଳା ଧରି ରୋଗୀଙ୍କ ଜୀବନଦାନ ପାଇଁ ଲାଗି ପଡ଼ୁଥିବା ଡ଼ାକ୍ତର ସାହୁ ସଞ୍ଜରେ ରଙ୍ଗ, ତୂଳୀ, କାନଭାସରେ ଚିତ୍ରକୁ ଜୀବନ୍ୟାସ ଦିଅନ୍ତି । ନିକଟରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ସମୂହର ଭବ୍ୟ ପ୍ରଦର୍ଶନୀ ପାଇଁ ରାଷ୍ଟ୍ରୀୟ ଲଳିତକଳା ଏକାଡ଼େମୀକୁ ଆସିଥିବା ଅବସରରେ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ଠାରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ ପରିଦର୍ଶନ କରି କୁନି ଶିଳ୍ପୀମାନଙ୍କୁ ଭେଟିଥିଲେ । ନିଜ ବାଲ୍ୟ ଜୀବନର ସ୍ମୃତି ସହ ଡ଼ାକ୍ତର ସାହୁ କୁନି କୁନି ଆଙ୍ଗୁଳି ଚାଳନାରେ ଚିତ୍ତାକର୍ଷକ ଚିତ୍ର ପ୍ରସ୍ତୁତିର କୌଶଳ ବତାଇ ଦେଇଥିଲେ । ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ ଏକ ଟ୍ରାଇବାଲ ଆର୍ଟ ଡ଼ାକ୍ତର ସାହୁଙ୍କୁ ପ୍ରଦାନ କରିଥିଲେ । ଏତେ ବଡ଼ ଶିଳ୍ପୀଙ୍କୁ ନିଜ ଅନୁଷ୍ଠାନରେ ପାଇଥିବାରୁ ଚିତ୍ରଶାଳା ପକ୍ଷରୁ ଡ଼ାକ୍ତର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଯୋଗ ଦେଇ ଡ଼ାକ୍ତର ସାହୁଙ୍କ ରୋଗୀସେବା ସହ ଶିଳ୍ପୀ ତଥା ସାହିତ୍ୟ ରଚନାକୁ ଭୂୟସୀ ପ୍ରଶଂସା କରିଥିଲେ । 

 

20/11/2018

Leave a Reply

Your email address will not be published. Required fields are marked *

Comments