Bikash Khabar
୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟା,କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ରାଜ୍ୟ ଗାଇବ ବନ୍ଦେ ଉତ୍କଳ ଜନନୀ

 ଲକ୍ଡ଼ାଉନ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ଥରେ ଥାଳି, ତାଳି ବଜାଇବା ଲାଗି ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ପରବର୍ତୀ ସମୟରେ ସମଗ୍ର ଦେଶବାସୀଙ୍କୁ ପ୍ରବର୍ତାଇଥିଲେ, ଦୀପ, ଟର୍ଚ୍ଚ, ମୋବାଇଲ୍ ଲାଇଟ୍ ଜଳାଅ। ସମଗ୍ର ଦେଶ ଏହାକୁ ମାନିଥିଲା।ଦେଶ କରୋନା ସହ ବଡ଼ ଧରଣର ଲଢ଼େଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି, ‘ଯିଏ ଯେଉଁଠି ବି ଥାନ୍ତୁ, ଆସନ୍ତା ୩୦ ତାରିଖ ଦିନ ସନ୍ଧ୍ୟା ସାଢେ ପାଞ୍ଚଟାରେ ସାମାଜିକ ଦୂରତ୍ବ ରକ୍ଷା କରି ବନ୍ଦେ ଉତ୍କଳୀ ଜନନୀ ଗୀତ ଗାନ କରିବେ। ଉଦ୍ଦେଶ୍ୟ ହେଉଛି ଆମର କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା।ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ। ଓଡ଼ିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା। ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ। ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ। ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ବିଶ୍ବାସ ମୋର ଅଛି।’’ମୁଖ୍ୟମନ୍ତ୍ରୀ  ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତା ଜାରି କରିଥିଲେ। କହିଥିଲେ, ‘‘ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି। ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ୍ଆତଙ୍କ ସୃଷ୍ଟି କରିଛି। ସେହି ଏକା ସମୟରେ ଆମ ଓଡିଶା ବି କୋଭିଡ୍ବିରୋଧରେ ତାର ଯୁଦ୍ଧ ଆରମ୍ଭ କଲା। କୋଭିଡ୍ରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ ସରକାରଙ୍କ ପ୍ରାଥମିକତା ଥିଲା। ପ୍ରତିଟି ଜୀବନର ସୁରକ୍ଷା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେତେବେଳେ ଆମେ ଯାହା ବି ନୀତି, ଯାହା ବି ପଦକ୍ଷେପ ଗ୍ରହଣ କରିଥିଲୁ, ତାର ଏକମାତ୍ର ଲକ୍ଷ୍ୟ ଥିଲା ମୋର ପ୍ରିୟ ସାଢେ ଚାରି କୋଟି ଓଡିଶାବାସୀଙ୍କ ଜୀବନ ରକ୍ଷା।ନବୀନ କହିଥିଲେ, ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରିଛନ୍ତି। ତଥାପି କୋଭିଡ୍ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ। ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ପ୍ରତିବଦ୍ଧତା। ସିଏ ଯିଏ ବି ହୁଅନ୍ତୁ, ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତାର ତୁଳନା ନାହିଁ। ସେହିପରି ଏହି ଯୁଦ୍ଧରେ ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ। ଏହାସହିତ ମହାପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ଆମ ସାଥିରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

29/05/2020

Leave a Reply

Your email address will not be published. Required fields are marked *

Comments