Bikash Khabar
ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ବସା ଚିହ୍ନଟ କାର୍ଯ୍ୟକ୍ରମ, ମେ ୧ରୁ ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କୁ ପ୍ରବେଶ କଟକଣା

ରାଜନଗର, ମେ ୧୮ :  ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ବସା ଚିହ୍ନଟ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ ହୋଇଛି । ଏହା ଆସନ୍ତା ଜୁଲାଇ ୩୧ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ଭିତରକନିକା ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ନାହିଁ । ବର୍ତ୍ତମାନ ସୁଦ୍ଧା ଜାତୀୟ ଉଦ୍ୟାନର ନଦୀ ଓ ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୮ଟି ବସାରେ ଅଣ୍ଡାଦାନ କରିଥିବା ଦେଖାଯାଇଛି । ଭିତରକନିକା ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରି ଆଦି ଅଂଚଳରେ ଏହି ବସା ଗୁଡ଼ିକ ଦେଖିବାକୁ ମିଳିଛି ।

ପ୍ରତିବର୍ଷ ମେ ରୁ ଜୁଲାଇ ପର୍ଯ୍ୟନ୍ତ ବଉଳା କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି । ନାଳ ଠୁ ଉଚ୍ଚା ସ୍ଥାନରେ ମା କୁମ୍ଭୀର ଖରଖରି ପତ୍ର ଓ କାଟିକୁଟା ଦୁଇ ଫୁଟ ଥାଏ ଗଦେଇ ତା ଉପରେ ଅଣ୍ଡା ଦେଇଥାଏ । ପୁଣି ଅଣ୍ଡା ଉପରେ କାଟିକୁଟା ଘୋଡ଼ାଇ ଦେଇଥାଏ । ପ୍ରତ୍ୟେକ କୁମ୍ଭୀର ୪୦ରୁ ୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦିଏ । ଅଣ୍ଡାଦାନର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଶାବକ ବାହାରିଥାନ୍ତି । ଅଣ୍ଡା ନିକଟରେ ମା କୁମ୍ଭୀର ଜଗି ବସିଥାଏ । ଗତବର୍ଷ ଭିତରକନିକାରେ ୮୪ଟି ବସା ଚିହ୍ନଟ ହୋଇଥିଲା ।

18/05/2018

Leave a Reply

Your email address will not be published. Required fields are marked *

Comments