Bikash Khabar
ବିଦ୍ୟାର୍ଥିଙ୍କ ପାଇଁ ବିଭୂତିଙ୍କ ବଦାନ୍ୟତା, ପକେଟ ଖର୍ଚ୍ଚ କାଟି ସବୁ ପିଲାଙ୍କୁ ଯୋଗାଇଦେଲେ ବହି ଓ ଖାତା

ଗଛରେ ବ୍ୟାଗ୍ ଝୁଲାଇ କଙ୍କି ପଛରେ ବୁଲୁଥିବା ପିଲାଙ୍କ ସ୍କୁଲ ମୁହାଁ ଖବର ଶୁଣି ଉତ୍ସାହିତ ହୋଇପଡ଼ିଥିବା ଜଣେ ଯୁବକ ନିଜ ପକେଟ ଖର୍ଚ୍ଚ କାଟି ସବୁ ପିଲାଙ୍କ ପାଇଁ ବର୍ଷ ସାରାର ଖାତା ବହି ଖର୍ଚ୍ଚ ଭରଣା କରିବାକୁ ଆଗକୁ ଆସିଛନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ବଦାନ୍ୟତା ଦେଖାଇଥିବା ଏହି ଯୁବକଙ୍କୁ ନେଇ ସ୍କୁଲ ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ପ୍ରଶଂସା କରାଯାଉଛି ।

ପିଲାଙ୍କୁ ପାଠପଢାରେ ସହାୟତା କରିଥିବା ଏହି ଯୁବକ ଜଣକ ହେଉଛନ୍ତି ବିଭୂତି ସେନାପତି । ବିଭୂତିଙ୍କ ଘର ଭୁବନେଶ୍ୱର ସାମନ୍ତରାପୁର ଅଂଚଳରେ । ସହର ଉପକଣ୍ଠ ଆଦିବାସୀପଲ୍ଲୀ କନ୍ଦଳେଇ ଗାଁର ପିଲାମାନେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ପ୍ରବର୍ତ୍ତନରେ ଓ ସାମାଜିକ କର୍ମୀଙ୍କ ପ୍ରୋତ୍ସାହନରେ ସ୍କୁଲ ମୁହାଁ ହେଉଥିବା ଶୁଣି ବିଭୂତି ଉତ୍ସାହିତ ହୋଇପଡ଼ିଥିଲେ । ପିଲାଙ୍କୁ ଅଧିକ ଉତ୍ସାହିତ କରିବାକୁ ଯାଇ ସେ ଗୋଟିଏ ବର୍ଷ ପାଇଁ ଆବଶ୍ୟକୀୟ ଖାତା, କଲମ, ପେନସିଲ୍ ଓ ଚକ୍ ଖଡ଼ି ଆଦି ଯୋଗାଇ ଦେଇଛନ୍ତି । ବିଭୂତିଙ୍କ ଏପରି ସହାୟତାକୁ ସ୍ଥାନୀୟ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ସାମାଜିକ କର୍ମୀ ପ୍ରିୟବତ୍ର ପଣ୍ଡା, ଇଂ ବାସୁଦେବ ମିଶ୍ର, ତ୍ରିଲୋଚନ ବେଉରା, ସରୋଜକାନ୍ତ ଦାସ, ରମ୍ୟଜିତ୍ ଦାସ ପ୍ରଶଂସା ସହ ସାଧୁବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ଛତାବର ପଂଚାୟତ ଅଧିନସ୍ଥ ଏହି ଗାଁରେ ଦିନେ ବିଦ୍ୟାଳୟ ନାଁ କହିଲେ ପିଲାଏ ଅଦୃଶ୍ୟ ହୋଇଯାଉଥିଲେ । ବଣ ଜଙ୍ଗଲରେ ବଣ କୁକୁଡ଼ା ପଛରେ ଦୌଡ଼ିବା ଓ କାଦୁଅ ପଙ୍କରେ ମାଛ ଧରିବା ନହେଲେ ଫାଶ ପାଖରେ ଜଗି ବସୁଥିବା ପିଲା ଏବେ ସ୍କୁଲରେ ନାଁ ଲେଖାଇଛନ୍ତି । ବିଗତ ଦୁଇବର୍ଷ ଭିତରେ ଏହି ଗାଁରେ ୧୭ ଜଣ ଛାତ୍ରଛାତ୍ରୀ ଗାଁ ସ୍କୁଲରୁ ପଂଚମ ପାସ୍ କରି ଦୂର ସରକାରୀ ଆଦିବାସୀ ହଷ୍ଟେଲରେ ପଢିବା ପାଇଁ ଭର୍ତ୍ତି ହୋଇଥିବା କହିଛନ୍ତି ଏହି ଗାଁରେ କାମ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ । ବିଭୂତିଙ୍କ ଏଭଳି ହୃଦୟ ଅନ୍ୟମାନଙ୍କୁ ଏପରି କରିବାକୁ ପ୍ରେରଣା ଦେବ ବୋଲି ସାହୁ ସୂଚାଇଛନ୍ତି ।

25/02/2019

Leave a Reply

Your email address will not be published. Required fields are marked *

Comments