Bikash Khabar
ଘର ଚଟିଆ ସୁରକ୍ଷା ପାଇଁ ଅଭିଯାନ

ଘର ଚଟିଆଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ । ବ୍ରହ୍ମପୁର ବନଖଣ୍ଡ ଓ ଆଂଚଳିକ ବିକାଶ ପରିଷଦର ମିଳିତ ପ୍ରୟାସରେ ଗ୍ରାମବାସୀମାନଙ୍କୁ ଘର ଚଟିଆଙ୍କ କୃତ୍ରିମ ବସା, ଖାଦ୍ୟ ଓ ସୂଚନା ବିତରଣ କରାଯାଇଛି ।
ପ୍ଲାଇଉଡ଼ରେ ନିର୍ମିତ ୩୦ଟି କୃତ୍ରିମ ବସା ଓ ୧୫ଟି ଖାଦ୍ୟ ଥଳି ବିନାମୂଲ୍ୟରେ ଯୋଗାଇ ଦିଆଯାଇଛି । ଜିଲ୍ଲାର ରଙ୍ଗେଇଲୁଣ୍ଡା, ପାତ୍ରପୁର, ଚିକିଟି, ଛତ୍ରପୁର, ଗଞ୍ଜାମ, ବେଗୁନିଆପଡ଼ା, ଖଲ୍ଲିକୋଟ, ଦିଗପହଣ୍ଡି, ସାନଖେମୁଣ୍ଡି ଏବଂ ହିଞ୍ଜିଳି ବ୍ଲକର ବିଭିନ୍ନ ଗ୍ରାମରେ ବନବିଭାଗ ପକ୍ଷରୁ ଘର ଚଟିଆଙ୍କ ସୁରକ୍ଷା ଅଭିଯାନ ହାତକୁ ନିଆଯାଇଛି ।
ଭଞ୍ଜନଗର, ରାୟଗଡ଼ା ଓ ଗଜପତିର ଜିରାଙ୍ଗ ଠାରେ ଦ୍ୱିତୀୟ ପର୍ଯ୍ୟାୟ ପକ୍ଷୀ ବସା ବିତରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆଂଚଳିକ ବିକାଶ ପରିଷଦ ଗୁଣ୍ଟାବନ୍ଧର ସଂପାଦକ ସାଗର କୁମାର ପାତ୍ର ସୂଚାଇଛନ୍ତି । ପ୍ରତ୍ୟେକଟି କୃତ୍ରିମ ବସାର ଦାମ ୨୫୦ରୁ ୩୦୦ ଟଙ୍କା ଏବଂ ଖାଦ୍ୟ ଥଳିର ଦାମ ୨୦୦ ଟଙ୍କା । ଗଞ୍ଜାମ ଜିଲ୍ଲାରେ ଘର ଚଟିଆଙ୍କ ସୁରକ୍ଷା ଓ ସଂରକ୍ଷଣର ଏଭଳି ଉଦ୍ୟମ ପଛରେ ସବୁଜ ବାହିନୀର ଶିବରାମ ପାଣିଗ୍ରାହୀ, କବିରାଜ ଗୌଡ଼ଙ୍କ ନେତୃତ୍ୱରେ ପରିଚାଳିତ ବକ୍ସିଙ୍ଗ ଓଡ଼ିଶା ଏବଂ ମମତା ଚୌଧୁରୀଙ୍କ ନେତୃତ୍ୱାଧିନ ମାରୱାଡ଼ି ମହିଳା ସମିତିର ଯୋଗଦାନ ରହିଛି । ଆପାର୍ଟମେଣ୍ଟ ସଂସ୍କୃତି ଘର ଚଟିଆ ପ୍ରଜାତିଟିକୁ ବିଲୀନ କରାଇ ଦେଇଛି ବୋଲି ବ୍ରହ୍ମପୁର ଡ଼ିଏଫଓ ଆଶିଷ କୁମାର ବେହେରା କହିଛନ୍ତି । ନେଚରଲଭର ଓଡ଼ିଶା ନାମରେ ଆଉ ଏକ ସଂଗଠନ ଜିଲ୍ଲାରେ ଏହି ବିଲୁପ୍ତ ପ୍ରାୟ ପକ୍ଷୀଟିର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛି । 
 

08/09/2018

Leave a Reply

Your email address will not be published. Required fields are marked *

Comments