Bikash Khabar
ଆମେରିକାରେ ପଢୁଥିବା ଓଡ଼ିଆ ଝିଅ ରଚିଲେ ଦୃଷ୍ଟାନ୍ତ, ଆଦିବାସୀ ଛାତ୍ରଛାତ୍ରୀଙ୍କ ଗହଣରେ ପାଳିଲେ ଜନ୍ମଦିନ

ସେବା ପାଇଁ ଅର୍ଥ ନୁହେଁ, ବରଂ ସୁନ୍ଦର ଏକ ମନ ଓ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ । ଜନ୍ମଦିନ ପାଳନକୁ ନେଇ ଏବେ ନୂଆ ନୂଆ ଟ୍ରେଣ୍ଡ୍ ଓ ଇଭେଣ୍ଟ୍ ଦେଖିବାକୁ ମିଳୁଛି । କିଏ ହୋଟେଲରେ ତ କିଏ କ୍ଲବ ଏବଂ ଆଉ ପୁଣି କିଏ ନିଜ ଘରେ ଭବ୍ୟ ସାଜ୍ଜସଜ୍ଜା ମଧ୍ୟରେ ଡ଼ିଜେର ତାଳେ ତାଳେ ପାଳୁଛନ୍ତି ଜନ୍ମଦିନ । ଏସବୁକୁ ବ୍ୟତିକ୍ରମ ଘଟାଇ ଦୂରରେ ଥାଇ ମଧ୍ୟ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ନିଜ ଜନ୍ମଦିନକୁ ସ୍ମରଣୀୟ କରି ରଖିବା ପାଇଁ ଆମେରିକାର ନର୍ଥ କାରୋଲିନାର ମରିସ୍ ଭିଲ୍ଲେସ୍ଥିତ ପାନ୍ଥରସଟ୍ରିକ୍ ହାଇସ୍କୁଲରେ ଶିକ୍ଷା ଅଧ୍ୟୟନ କରୁଥିବା ଦ୍ୱାଦଶ ଶ୍ରେଣୀର ଓଡ଼ିଆ ଝିଅ ନେହା କର ଯେଉଁ ରାସ୍ତା ଆପଣେଇଛନ୍ତି, ତାହା ଅନେକଙ୍କ ପାଇଁ ଶିକ୍ଷଣୀୟ ହୋଇରହିବ । ନିଜର ଜନ୍ମଦିନକୁ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ପାଶ୍ୱର୍ରେ ଥିବା କନ୍ଦଳେଇ ଆଦିବାସୀ ପଡ଼ାର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଗହଣରେ ପାଳନ କରିଛନ୍ତି । ପିତା ଧୀରେନ୍ଦ୍ର କରଙ୍କ ନିକଟରୁ ଏହି ଅଗମ୍ୟ ଆଦିବାସୀ ଗାଁର ସୁବିଧା ଅସୁବିଧା କଥା ଶୁଣି ନେହା ପ୍ରଭାବିତ ହୋଇଥିଲେ । ଆଦିବାସୀ ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କାଟିବା, ଭୋଜିଭାତର ଆୟୋଜନ ସହ ନିଜର ଜନ୍ମଦିନକୁ ସ୍ମୃତିପଟଳରେ ସାଇତି ରଖିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ଓ ମାନିସିକ ବିକାଶ ନିମନ୍ତେ ଏକ ରେଡ଼ିଓ ଉପହାର ରୂପେ ବିଦ୍ୟାଳୟକୁ ପ୍ରଦାନ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ ରଞ୍ଜନ ରାଉତ, ଇଂ ବାସୁଦେବ ମିଶ୍ର, ବିନ୍ଧ୍ୟଗିରି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଜନ୍ମଦିନକୁ ଏଭଳି ଢଙ୍ଗରେ ପାଳନ କରିଥିବାରୁ ଛାତ୍ରୀ ନେହାଙ୍କ ଜୀବନର ଚଲାପଥ କୁସୁମିତ ହେଉ ବୋଲି ଈଶ୍ୱରଙ୍କ ନିକଟରେ ଉପସ୍ଥିତ ଅତିଥି ଓ ଗ୍ରାମବାସୀ ପ୍ରାର୍ଥନା କରିଥିଲେ । 

 

24/12/2018

Leave a Reply

Your email address will not be published. Required fields are marked *

Comments