Bikash Khabar
ଦିନେ ଫିସ ଦେଇନପାରିବାରୁ କଲେଜରୁ ଖାଇଥିଲେ ତଡ଼ା, ଆଜି କୃଷିକ୍ଷେତ୍ରରେ ୪୦ରୁ ଅଧିକ ଆବିଷ୍କାର

ଉଦ୍ଧବ ଭରାଳି । ଏକାଧିକ ଆବିଷ୍କାରକ ଭାବେ ଜଣାଶୁଣା । କମ୍ ଖର୍ଚ୍ଚରେ ଚାଷ ପାଇଁ ଦରକାର ଯନ୍ତ୍ରପାତି ତିଆରି କରି ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ । ଏତେ ସଫଳତାର ଏହି ଯାତ୍ରା ତାଙ୍କ ପାଇଁ ଏତେ ସହଜ ନଥିଲା ।

ବାଲ୍ୟରୁ ଦୈନ୍ୟ ସହ ସଂଘର୍ଷ । ଓଳିଏ ଖାଇଲେ ଆର ଓଳି ଯେ କିଛି ମିଳିବ ତାର କିଛି ନିଶ୍ଚିତତା ନଥିଲା । ଆସାମର ଉତ୍ତର ଲଖମିପୁର ଜିଲ୍ଲାର ଉଦ୍ଧବ ବି ପାଠରେ ସେଭଳି ବୁଦ୍ଧିମାନ ନଥିଲେ । ଗଣିତ ଶିକ୍ଷକ ତାଙ୍କୁ କ୍ଲାସ ବାହାରେ ଠିଆ କରାଇ ଦେଉଥିଲେ । ପରେ ପରେ ସେ ଗଣିତରେ ସବୁଠୁ ଅଧିକ ନମ୍ବର ରଖିବା ସହିତ ନିଜ ସହପାଠୀ ମାନଙ୍କୁ ବି ବୁଝାଇ ଦେଉଥିଲେ ।
୧୪ ବର୍ଷ ବୟସରେ ସ୍କୁଲ ଶିକ୍ଷା ସରିବା ପରେ ସେ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । କିନ୍ତୁ କଲେଜରେ ଫିସ ଦେଇନପାରିବାରୁ କର୍ତ୍ତୃପକ୍ଷ ତାଙ୍କୁ କଲେଜରୁ ବାହାର କରିଦେଇଥିଲେ । ନିଜର ପରିବାରର ଦାୟିତ୍ୱ ଥିଲା ତାଙ୍କ କାନ୍ଧ ଉପରେ । ପିତା କରିଥିବା ଋଣର ପରିଶୋଧ ଦାୟିତ୍ୱ ମଧ୍ୟ । ଏହି ସବୁ ସମସ୍ୟା ଭିତରେ ଥାଇ ବି ୨୩ ବର୍ଷ ବୟସରେ ୬୭ ହଜାର ଟଙ୍କା ଖଟେଇ ଗୋଟିଏ ପଲିଥିନ ତିଆରି ମେସିନ ତିଆରି କଲେ । ଏହାର ସଫଳତା ତାଙ୍କୁ ଅଧିକ ଆବିଷ୍କାର ଆଡ଼କୁ ଟାଣିଥିଲା । ୧୯୯୦ରୁ ୨୦୦୫ ମଧ୍ୟରେ ସେ ୨୪ଟି ନୁଆ ନୁଆ ମେସିନ ତିଆରି କଲେ । ୨୦୦୫ରେ ତାଙ୍କୁ ଗ୍ରାସରୁଟ ଇନୋଭେଟର ଭାବେ ବିଦେଶ ପଠାଗଲା । ୨୦୦୬ରେ ତାଙ୍କ ଦ୍ୱାରା ତିଆରି ଡ଼ାଳିମ୍ବରୁ ମଞ୍ଜି ବାହାର କରିବା ଯନ୍ତ୍ର ତାଙ୍କୁ ନିଆରା ପରିଚିତି ଦେଲା । ୫୫ କିଗ୍ରା ଡ଼ାଳିମ୍ବରୁ ଘଣ୍ଟାଏ ଭିତରେ ମଞ୍ଜି ବାହାର କରିବା ଏହି ମେସିନ ଜୁସ ବ୍ୟବସାୟୀଙ୍କ ଜୀବିକାରେ ବଡ଼ ଏକ ଯୋଗଦାନ କରିଥିଲା । ରସୁଣରୁ ଚୋପା ବାହାର କରିବା, ଧୂଆପତ୍ର କଟାଯିବା, ଧାନ ଅମଳ, ଆଖୁ କାଟିବା, ପିତ୍ତଳ ବାସନ ସଫା କରିବା ଆଦି ଯନ୍ତ୍ର ପାଇଁ ସେ ପରିଚିତି ହେଲେ ।

13/03/2019

Leave a Reply

Your email address will not be published. Required fields are marked *

Comments