Bikash Khabar
କାନ୍ଥରେ ପାନଛେପ ଦେଖି ନିଜେ ସଫା କରିବାକୁ ଲାଗିଲେ ଜିଲ୍ଲାପାଳ

ଜଣେ ଆଇଏଏସ ଅଧିକାରୀଙ୍କୁ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ନେଇ ଚର୍ଚ୍ଚା ଜାରୀ ରହିଛି । ମହାରାଷ୍ଟ୍ର ଅକୋଲା ଜିଲ୍ଲାର ଜିଲ୍ଲାପାଳ ଆସ୍ତିକ କୁମାର ପାଣ୍ଡେ ନିଜ ହାତରେ କାନ୍ଥରେ ପଡ଼ିଥିବା ପାନଛେପକୁ ପୋଛି ଥିବା ଦେଖାଯାଇଥିଲା । ଜିଲ୍ଲାପାଳ ଅତର୍କିତ ଭାବେ ନିର୍ମାଣ ବିଭାଗର କାର୍ଯ୍ୟାଳୟ ତଦାରଖ ପାଇଁ ପହଂଚି କାନ୍ଥର ଏଭଳି ଅସ୍ୱାସ୍ଥ୍ୟକର ସ୍ଥିତି ଦେଖି ଘାବରେଇ ଯାଇଥିଲେ ।
କାନ୍ଥ ସାରା ପାନ ଛେପ ପଡ଼ିଥିବା ତାଙ୍କୁ ବ୍ୟଥିତ କରିଥିଲା । କାହାକୁ କିଛି କହିବା ପୂର୍ବରୁ ସେ ନିଜେ ଏହାର ସଫେଇରେ ଲାଗି ଯାଇଥିଲେ । ଉପସ୍ଥିତ କର୍ମଚାରୀମାନେ ମୁଣ୍ଡ ତଳକୁ କରି ଲଜ୍ଜ୍ୱିତ ଅବସ୍ଥାରେ କିଛି ସମୟ ଠିଆ ହେବା ପରେ କାନ୍ଥ ସଫେଇରେ ଯୋଡ଼ି ହୋଇଥିଲେ । କେବଳ ସେତିକି ନୁହେଁ ଜିଲ୍ଲାପାଳ ଅନ୍ୟ ଏକ ବିଭାଗୀୟ କାର୍ଯ୍ୟାଳୟର ବାରଣ୍ଡାରେ ଗୋବର ପଡ଼ିଥିବା ଦେଖି ଝାଡ଼ୁ ଓ ବାଲଟିଏ ପାଣି ମଗାଇ ନିଜେ ସଫା କରିଥିଲେ । ଅନ୍ତତଃ ପକ୍ଷେ କାର୍ଯ୍ୟସ୍ଥଳୀର ପରିବେଶ ସଫାସୁତୁରା ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ ସେଠାରେ ଥିବା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଏକ ବୈଦ୍ୟୁତିକ ଗଣମାଧ୍ୟମ ଜିଲ୍ଲାପାଳଙ୍କ କାନ୍ଥ ଓ ଗୋବର ସଫା ମିଶନକୁ ପ୍ରସାରିତ କରିଥିଲା । ବିଭିନ୍ନ କାର୍ଯ୍ୟାଳୟର ପରିଚ୍ଛନ୍ନତା ବାବଦକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଏବେ ସଚେତନତା ବଢିଥିବା କୁହାଯାଉଛି । 
 

07/09/2018

Leave a Reply

Your email address will not be published. Required fields are marked *

Comments