Bikash Khabar
୧୦ ହଜାର ଗାଁରେ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଯୋଜନା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ସ୍ୟାଣ୍ଡିଟାୱାର ସମ୍ମିଳନ ପ୍ରକୋଷ୍ଠରେ ଆୟୋଜିତ ହୋଇଯାଇଛି । ଅକ୍ସଫାମ ଇଣ୍ଡିଆ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ୟୁନିସେଫ ଏବଂ ଇଣ୍ଟର ଏଜେନ୍ସି ଗ୍ରୃପର ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ପୂର୍ବତନ ରାଜସ୍ୱ ପରିଷଦ ସଦସ୍ୟ ଅରବିନ୍ଦ ବେହେରା ସଂଚାଳନା କରିଥିଲେ । ଅକ୍ସଫାମ ଇଣ୍ଡିଆର ଆଂଚଳିକ ନିର୍ଦ୍ଦେଶକ ଅକ୍ଷୟ ବିଶ୍ୱାଳ କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ତିତଲି ଓ ରାୟଗଡ଼ା ବନ୍ୟାର ଉଦାହରଣ ଦେଇ ବିପର୍ଯ୍ୟୟର ପୂର୍ବାନୁମାନ କେମିତି ଭୁଲ ବା କଷ୍ଟସାଧ୍ୟ ହେବାରେ ଲାଗିଛି ତାହା ଦର୍ଶାଇଥିଲେ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟର ୧୦ ହଜାର ଗାଁରେ ଗ୍ରାମ୍ୟ ବିକାଶ ଯୋଜନା ତଥା ବିଦ୍ୟାଳୟ ଗୁଡ଼ିକରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା ହେଉଛି ବୋଲି ସେଠୀ ସୂଚନା ଦେଇଛନ୍ତି ।

ୟୁନିସେଫର ଓଡ଼ିଶା ମୁଖ୍ୟ ମୋନିକା ନେଲସନ କହିଛନ୍ତି ଯେ ବିପର୍ଯ୍ୟୟ ବିପତ୍ତି ହ୍ରାସ ଦିଗରେ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ତେବେ ଏଥିରେ ଆହୁରି ଅନେକ କିଛି କରିବାର ଅଛି । ରାଜ୍ୟ କୃଷି ଉତ୍ପାଦନ କମିଶନର ଗଗନ ଧଳ, ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ବିନୋଦ ମେନନ ବିପର୍ଯ୍ୟୟରେ ରିଲିଫ ଉଦ୍ଧାର ଥଇଥାନ ଅପେକ୍ଷା ପ୍ରାକ୍ ପ୍ରସ୍ତୁତିକୁ ଅଧିକ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଦର୍ଶାଇଥିଲେ । କେରଳର କୁଟୁମ୍ବ ଶ୍ରୀ ସଂଗଠନ ଓ ମତ୍ସ୍ୟଜୀବିମାନେ ବନ୍ୟା ପୀଡ଼ିତଙ୍କୁ କିଭଳି ଉଦ୍ଧାରରେ ଉଲ୍ଲେଖନୀୟ ଯୋଗଦାନ କରିଥିଲେ ତାର ଦୃଷ୍ଟାନ୍ତ ଦେଇଥିଲେ ।

11/02/2019

Leave a Reply

Your email address will not be published. Required fields are marked *

Comments