Bikash Khabar
ବର୍ଜ୍ୟ ବସ୍ତୁରୁ ତିଆରି କଳାକୃତ୍ତିକୁ ନେଇ ପ୍ରଦର୍ଶନୀ

ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବର୍ଜ୍ୟ ଦ୍ରବ୍ୟକୁ ବ୍ୟବହାର କରି ପ୍ରସ୍ତୁତ କରିଥିବା ଆକର୍ଷଣୀୟ କଳାକୃତ୍ତି ସମୂହକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଦ୍ୟାର୍ଥିମାନଙ୍କ ସ୍ୱଚ୍ଛତା ହିଁ ସେବା ଥିମକୁ ନେଇ ବର୍ଜ୍ୟ ବସ୍ତୁରେ ପ୍ରସ୍ତୁତ ଆକର୍ଷଣୀୟ କଳା ଗୁଡ଼ିକର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ।
ଭଙ୍ଗାଲୁହା, ବୈଦ୍ୟୁତିକ ବର୍ଜ. ଅଟୋ ମୋବାଇଲି ବର୍ଜ୍ୟ ଓ ପ୍ଲାଷ୍ଟିକକୁ ବ୍ୟବହାର କରି ୨୦୦ ପ୍ରକାରର ବିଭିନ୍ନ କଳାକୃତ୍ତି ତିଆରି କରି ପ୍ରଦର୍ଶିତ କରାଯାଇଛି । ଏହା ସବୁ ଜିଲ୍ଲାର ବିଭିନ୍ନ ସ୍କୁଲ ଗୁଡ଼ିକୁ ଦାନ କରି ଦିଆଯିବ । ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଦ୍ରବ୍ୟ ପ୍ରେରଣାଦାୟୀ ହୋଇପାରିବ ବୋଲି ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ସୂଚାଇଛନ୍ତି ।
ଅଦରକାରୀ ଦ୍ରବ୍ୟ ଗୁଡ଼ିକୁ ଲୋକେ ଫିଙ୍ଗି ଦିଅନ୍ତି । ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରେ । ଏଥିରୁ ଯଦି ଶହ ଶହ ପ୍ରଜାତିର ଘର ସାଜସଜ୍ଜା ଓ ଆକର୍ଷଣୀୟ କଳାକୃତ୍ତି ତିଆରି ହୋଇପାରିଲା ତେବେ ଏହା ଜୀବିକା ପାଇଁ ଆଉ ଏକ ଉତ୍ସ ହୋଇପାରିବ ବୋଲି ପାଣିଗ୍ରାହୀ କହିଛନ୍ତି । ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏଭଳି ସୃଜନଶୀଳତା ଗଞ୍ଜାମ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବ ବୋଲି ଦର୍ଶାଇଥିଲେ । ଟେବୁଲ ଲ୍ୟାମ୍ପ, କାନ୍ଥ ଘଣ୍ଟା, ଫୁଲଦାନୀ, ହାତୀ ଆଦି ଆକର୍ଷଣୀୟ ହୋଇଥିଲା । 
 

20/09/2018

Leave a Reply

Your email address will not be published. Required fields are marked *

Comments