Bikash Khabar
ସରକାର ଜଗୁଛନ୍ତି ମିଲର୍ସଙ୍କ ସ୍ୱାର୍ଥ, ଚାଷୀ କଷ୍ଟୋପାର୍ଜିତ ଧାନର ପ୍ରାପ୍ୟ ପାଇଁ ଚାହିଁ ବସିଛନ୍ତି

କାଳିଆ ଯୋଜନା ଆରମ୍ଭ ନ ହେଉଣୁ ଦେଶର ଆଦର୍ଶ କାର୍ଯ୍ୟକ୍ରମ ବୋଲି ଦାବୀ କରୁଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲାର ଚାଷୀଙ୍କ ପ୍ରତି ଆଡ଼ ଆଖିରେ ଦେଖୁନାହାନ୍ତି । ଚାଷୀ ନୁହେଁ ମିଲର୍ସଙ୍କ ସ୍ୱାର୍ଥକୁ ଯୋଗାଣ ବିଭାଗ ଗୁରୁତ୍ୱ ଦେଉଥିବା ଅନୁଭବ କରିହେଉଛି । ଅନୁଗୁଳ ଜିଲ୍ଲାର ଚାଷୀମାନେ କୋଟିଏରୁ ଅଧିକ ଟଙ୍କାର ଧାନ ବିକ୍ରୀ ବାବଦ ଅର୍ଥ ପାଇପାରିନଥିବା ବେଳେ ପ୍ରଶାସନର ବେଫିକର ମନୋଭାବକୁ ନେଇ ଅଶାନ୍ତି କୁହୁଳିବାରେ ଲାଗିଛି ।

୯୦ ହଜାର କୋଟିର ଋଣ ଭାରରେ ବୁଡ଼ିଥିବା ରାଜ୍ୟସରକାର ନିର୍ବାଚନ ପୂର୍ବରୁ ସ୍ୱୟଂ ସହାୟକ ଦଳର ସ୍ଥିତିକୁ ନ ପରଖି ହଜାର ହଜାର ଟଙ୍କା ବାଣ୍ଟି ଭୋଟ ସାଉଁଟିବାର କୌଶଳକୁ ପ୍ରାଧାନ୍ୟ ଦେଉଥିବାବେଳେ କୃଷକଙ୍କ ସଠିକ୍ ଚିହ୍ନଟ ଓ ଆବଶ୍ୟକୀୟ ପ୍ରୋତ୍ସାହନ ପ୍ରତି ପୁରା ଆଖି ବୁଜି ଦେଇଛନ୍ତି ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି । ଜାନୁଆରୀ ୧୫ ଜିଲ୍ଲା ଜିଲ୍ଲାରେ ୨ ଲକ୍ଷ ୨୩ ହଜାର କ୍ୟୁଣ୍ଟାଲ ଧାନ କିଣାଯାଇଛି । ଏ ବାବଦରେ ଚାଷୀ ୪ କୋଟି ଟଙ୍କା ପାଇବା କଥା । ହେଲେ ସରକାର ଦେଇଛନ୍ତି ୩ କୋଟି ଟଙ୍କା । ଚାଷୀମାନେ ଆଉ ୧କୋଟି ଟଙ୍କାର ପ୍ରାପ୍ୟ ପାଇପାରିନାହାନ୍ତି । ବିଭାଗୀୟ ଅବହେଳାରୁ ମାସେ ତଳୁ ଧାନ ବିକିଥିବା ଚାଷୀଙ୍କ ପ୍ରାପ୍ୟ ମଧ୍ୟ ମିଳିପାରିନାହିଁ । କର୍ମଚାରୀମାନେ ଭୁଲ ନମ୍ବର ଏଣ୍ଟ୍ରି କରି ଦେଇଥିବାରୁ କେତେକ ଚାଷୀ ଦଣ୍ଡ ଭୋଗୁଛନ୍ତି । ଧାନ ବିକିଲେ ସାହୁକାର ଋଣ ସୁଝିବାର ଚାପରେ ଥିବା ଚାଷୀମାନେ ବାରମ୍ବାର ଦୌଡ଼ୁଥିବା ଦେଖାଯାଉଛି । ସେପଟେ ବକେୟା ମିଳୁନଥିବାରୁ ମଣ୍ଡିରୁ ଚାଷୀ ଧାନ ଫେରାଇ ନେଉଛି । ଧାନ ବିକ୍ରୀ କରିଥିବା କେତେକ ଚାଷୀ ମଣ୍ଡିରୁ ଧାନ ଉଠିନଥିବାରୁ ଶୀତ କାକରରେ ଜଗି ରହିବାକୁ ବାଧ୍ୟ ହେଉଛନ୍ତି । ଚାଷୀମାନେ ହଇରାଣ ହେଲେ କମ୍ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ବୋଲି ଏଭଳି ଷଡ଼ଯନ୍ତ୍ର କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

17/01/2019

Leave a Reply

Your email address will not be published. Required fields are marked *

Comments