Bikash Khabar
ଗଂଜାମ କପାଚାଷୀ ଙ୍କୁ ମିଳୁନି ମଣ୍ଡି ସୁବିଧା,ଶାଗମାଛ ଦରରେ ବିକ୍ରି ହେଉଛି ଧଳା ହୀରା

 ବାରମ୍ବାର କହିବା ସତ୍ତ୍ବେ ସରକାର ମଣ୍ଡି ଖୋଲିଲେ ନାହିଁ। ଶେଷରେ ନିରୁପାୟ ଚାଷୀ ଶାଗମାଛ ଦରରେ କପା ଜିଲ୍ଲା ବାହାର ବେପାରୀଙ୍କ ହାତକୁ ଟେକିଦେଲେ। ଏହି ଚିତ୍ର ହେଉଛି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର। ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବା ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଧନନ୍ତର ପଞ୍ଚାୟତର ଶତାଧିକ ଚାଷୀ ମଣ୍ଡି ସୁବିଧା ନଥିବାରୁ ଜିଲ୍ଲା ବାହାର ବେପାରୀଙ୍କୁ କମ୍ ଦରରେ କପା ବିକି ଦେଇଛନ୍ତି। ସରକାରୀ ଦର କିଲୋ ପିଛା ୫୪ ଟଙ୍କା ଥିବା ବେଳେ ଚାଷୀମାନେ ଏହାକୁ ୨୭ରୁ ୩୧ ଟଙ୍କା ବିକିଥିବା ଜଣାପଡ଼ିଛି। ଆଉ ଆଗକୁ ଏଭଳି ପରିସ୍ଥିତି ଜାରି ରହିଲେ କପା ଚାଷ ବନ୍ଦ କରିବୁ ବୋଲି ଚାଷୀମାନେ କ୍ଷୋଭର ସହ କହିଛନ୍ତି। ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର, ସୁନାନ୍ତର, ଧନନ୍ତର, ଲାଞ୍ଜିଆପଲ୍ଲୀ, ଅଶୋକପୁର, କେ.ନୂଆଗଡ ଭୁଷୁଣ୍ଡା ଆଦି  ଗ୍ରାମର ଶତାଧିକ ଚାଷୀ କପା ଚାଷ କରୁଛନ୍ତି। ଚଳିତବର୍ଷ ୧୫୦ ଟନ୍ରୁ ଅଧିକ କପା ଅମଳ ହୋଇ ଦୀର୍ଘ ଦିନ ଧରି ଘରେ ପଡ଼ି ରହିଥିଲା। କିନ୍ତୁ ମଣ୍ଡି ସୁବିଧା ନଥିବାରୁ ଗତ ଦୁଇ ଦିନ ଭିତରେ ଚାଷୀ ମାନେ ଗଚ୍ଛିତ କପାକୁ ବାହାର ଜିଲ୍ଲାର ବେପାରୀଙ୍କୁ କମ୍ ଦରେ ବିକ୍ରି କରିଥିଲେ। ଫଳରେ ଦୁଇ ଦିନ ମଧ୍ୟରେ ଏହି ବେପାରୀମାନେ ପାଖାପାଖି ୨୦ ଟନ୍ କପା କିଣି ନେଇଥିବା ଜଣାପଡ଼ିଛି।ତେେବଏହି ଚାଷୀମାନେ ବାହାର ଜିଲ୍ଲା ବେପାରୀଙ୍କୁ କପା ବିକିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେମାନେ ବିମୁଦ୍ରୀକରଣ ସମୟରେ ସମାନ ଅସୁବିଧା ଭୋଗିଥିଲେ। ସମ୍ବଲପୁରରୁ ଜଣେ ବ୍ୟବସାୟୀ ଆସି କପା ନେଇ ପଳାଇଥିଲେ। କିନ୍ତୁ ଠିକ୍ ଭାବେ ଟଙ୍କା ଦେଇ ନଥିଲେ। ପାକିଡି ପାହାଡ଼ ତଟବର୍ତ୍ତୀ ଅଞ୍ଚଳରେ କପା ଚାଷ ହେଉଥିବା ବେଳେ ମଣ୍ଡି ସୁବିଧା ନଥିବା ଯୋଗୁଁ ଚାଷୀମାନେ ନିୟମିତ ଭାବେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। କିଛି ଚାଷୀ ଚାଷ ବନ୍ଦ କରିବା ଆରମ୍ଭ କଲେଣି।

11/06/2020

Leave a Reply

Your email address will not be published. Required fields are marked *

Comments