Bikash Khabar
କୁନି ଚଟିଆ ଫୁରର... ଆଜି ଘର ଚଟିଆ ଦିବସରେ ଝୁରୁଛନ୍ତି ପ୍ରକୃତିପ୍ରେମୀ

ଦିନ ଥିଲା କିଚିରି ମିଚିରି ଶବ୍ଦରେ ମୁଖରିତ ହେଉଥିଲା ଗାଁ ଦାଣ୍ଡ । । ଚାଳଘରର ଓଳି ତଳେ ବସା ବାନ୍ଧି ରହୁଥିବା ଘର ଚଟିଆଙ୍କୁ ଏବେ ଖୋଜିଲେ ବି ମିଳୁନି । କାଁ ଭାଁ ଏମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ପାଳିତ ହେଉଛି ବିଶ୍ୱ ଘର ଚଟିଆ ଦିବସ । ଏହି ଦିବସରେ ପ୍ରକୃତିପ୍ରେମୀ ଓ ପକ୍ଷୀପ୍ରେମୀମାନେ ଚାଷୀ ଓ କ୍ଷେତର ଉପକାରୀ ଏହି ଛୋଟ ପକ୍ଷୀଟିକୁ ବିଲୁପ୍ତି ମୁହଁରୁ ବଂଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ନୟାଗଡ଼ କଣ୍ଟିଲୋ ଅଂଚଳର ପରିବେଶବିତ ଅନ୍ତର୍ଯ୍ୟାମୀ ସାହୁ କୁନି ପିଲାଙ୍କୁ କୁନି ଚଟିଆର ଉପକାରିତା ବାବଦରେ ସଚେତନତା କରିବା ସହିତ ହାତ ଲେଖା ପୋଷ୍ଟର ଓ ପ୍ଲାକାର୍ଡ଼ ସହିତ ଗାଁ ପରିକ୍ରମା କରି ସଚେତନତା କରିଥିବା ଜଣାଯାଇଛି ।
ଚାଷ କ୍ଷେତରେ ବିଷାକ୍ତ କୀଟନାଶକ ପ୍ରୟୋଗ ହେଉଥିବାରୁ ବିରି,ମୁଗ, ଚଣା, କୋଳଥ ଓ ହରଡ଼ କ୍ଷେତରେ ଚଢେଇମାନେ ମରି ପଡ଼ୁଛନ୍ତି । ଗାଁ ଦାଣ୍ଡ କଂକ୍ରିଟ ହେବା ଏବଂ ଚାଳଘର ଉଭେଇ ଯିବାରୁ ଚଟିଆମାନେ ବାସହରା ହୋଇପଡ଼ିଲେ । ଯେଉଁ ପରିବେଶ ଦିନେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ଥିଲା ସେପରି ପରିବେଶ ଆଜି ଆଉ ସେମାନଙ୍କୁ ଫେରାଇ ଦେବା ସମ୍ଭବ ନୁହେଁ କିନ୍ତୁ ଘର ଆଗରେ ସେମାନଙ୍କ ବସା ପାଇଁ ବିକଳ୍ପ ସ୍ଥାନ ଦେବା, ପିଇବା ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ପୁଣି ଥରେ କୁନି ଚଟିଆର କଳରବ ଗାଁ ଦାଣ୍ଡରେ ଶୁଣିବାକୁ ମିଳିବ ବୋଲି ଶିକ୍ଷକ ତଥା ସମାଜସେବୀ ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି ।

20/03/2019

Leave a Reply

Your email address will not be published. Required fields are marked *

Comments