Bikash Khabar
ସଉରା ଲିପିରି ଡିଜିଟାଇଜେସନ୍ କଲେ ଆଇଆଇଟି ଛାତ୍ରୀ

ସଉରା ଲିପିର ଡିଜିଟାଇଜେସନ୍ କରିଛନ୍ତି ରାୟଗଡ଼ାର ଆଇଆଇଟି ଛାତ୍ରୀ ସୋନି ସଲମା ପ୍ରିୟଦର୍ଶିନୀ। ଦୀର୍ଘ ବର୍ଷ ଧରି ସଉରା ଲିପି ଉପରେ ଗବେଷଣା କରିବା ପରେ ଲିପିର ମୁଦ୍ରାଙ୍କନ କରିବାରେ ସକ୍ଷମ ହୋଇଛନ୍ତି। ଯାହା ଏହି ବିରଳ ଜନଜାତିର ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର କରିବା ସହ ସଉରା ସଂପ୍ରଦାୟର ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିପାରିବ। ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ସଉରା ଲିପିକୁ ଲେଖା ଯାଇ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ଶିକ୍ଷା ପାଇଁ ପାଠ୍ୟପୁସ୍ତକ ଛପା ଯାଇ ପାରିବ।ବମ୍ବେ ଆଇଆଇଟିର ପ୍ରଫେସର ଗିରିଶ ଡାଲଭିଙ୍କ ସହାୟତାରେ ସୋନି ସଲମା ସଉରା ଲିପିର ଡିଜିଟାଇଜେସ୍ କରିଛନ୍ତି। ୨୦୧୪ରେ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍ ସଂପର୍କିତ ପାଠ ପଢ଼ିବାକୁ ସୋନି ବମ୍ବେ ଆଇଆଇଟିରେ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ଟାଇପୋଗ୍ରାଫି (ମୁଦ୍ରାଙ୍କନ) ଉପରେ ନିଜର ପ୍ରୋଜେକ୍ଟ କରିଥିଲେ। ରାୟଗଡ଼ାରେ ଜନ୍ମିତ ସୋନି ସଉରା ଭାଷାର ପ୍ରଚାର, ପ୍ରସାର ସହିତ ଏହି ପିଢ଼ିକୁ ଶିକ୍ଷିତ କରିବା ପାଇଁ ସଉରା ଲିପିର କମ୍ପ୍ୟୁଟରକୃତ ଅକ୍ଷରମାଳା ତିଆରି କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ସଉରା ସଂପ୍ରଦାୟର ସହାୟତାରେ ପ୍ରଥମେ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ପ୍ରସ୍ତୁତ କରିଥିବା ଅକ୍ଷର ମାଳାକୁ ନେଇ ନୀରିକ୍ଷଣ କରିବା ପରେ ଆଧୁନିକ ପ୍ରଣାଳୀରେ ତିଆରି ହୋଇଥିବା ବର୍ଣ୍ଣମାଳାରେ ୧୮ଟି ବ୍ୟଞ୍ଜନବର୍ଣ୍ଣ, ୭ଟି ସ୍ବରବର୍ଣ୍ଣ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଛି। ଏପରିକି ଏଥି ପାଇଁ ସେ ଜର୍ମାନୀରୁ ଚାକିରୀ ଛାଡି ପଳାଇ ଆସିଛନ୍ତି। ଚାକିରୀରେ ଅଧିକ ଟଙ୍କା ମିଳୁଛି, କିନ୍ତୁ ନିଜ ମାଟି ପାଇଁ କରିବାର କିଛି ସୁଯୋଗ ମିଳୁନାହିଁ। ଯାହା ତାଙ୍କୁ ଭଲ ଲାଗିନଥିଲା। ଫଳରେ ଜର୍ମାନୀ ଛାଡ଼ି ଆସି ସେ ଏବେ ସଉରାଙ୍କ ବର୍ଣ୍ଣମାଳା ତିଆରିରେ ନିଜକୁ ନିୟୋଜିତ କରିଛନ୍ତି। ସୋନି କହିଛନ୍ତି, ଡିଜିଟାଇଜେସନ୍ ସହ ଅନଲାଇନରେ ଭାଷା ଉପଲବ୍ଧ ହେଲେ କମ ଦିନରେ ସଉରା ଭାଷା ଲୋପ ପାଇଯିବ। ପୂର୍ବରୁ ଏମିତି ଅନେକ ଭାଷା ପ୍ରଚାର, ପ୍ରସାର ଅଭାବରୁ ଲୋପ ପାଇଯିବାର ନଜିର ରହିଛି। ଏବେ ସଉରା ଲିପିର ୨୫ଟି ବର୍ଣ୍ଣ, ୧୦ଟି ସଂଖ୍ୟାର ଡିଜିଟାଇଜେସନ୍ ହୋଇଛି। କେବଳ କୋଡିଂ ବାକି ଅଛି। ପ୍ରତି ଅକ୍ଷର ଭିତରେ ବ୍ୟବଧାନ, ବଡ ଅକ୍ଷର, ଛୋଟ ଅକ୍ଷର, ବୋଲଡ୍ ଅକ୍ଷର ମାତ୍ରା ବନାଇବାକୁ ବହୁ ଗବେଷଣା କରିବାକୁ ପଡିଛି। କମ୍ପ୍ୟୁଟରରେ ଟାଇପ୍ ସମୟରେ କୋଡିଂର ନିହାତ ଆବଶ୍ୟକତା ଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଏହି କାମ ଶେଷ କରିବାକୁ ସୋନି ଲକ୍ଷ୍ୟ ରଖିଛନ୍ତି।

 

28/09/2020

Leave a Reply

Your email address will not be published. Required fields are marked *

Comments