Bikash Khabar
୪୦ ବର୍ଷ ପରେ ଗାଁରେ ଜଳିଲା ଆଲୁଅ, ଦୀପାବଳି ଭଳି ପାଳିଲେ ଖୁସି, ସରକାରଙ୍କୁ କହିଲେ ଧନ୍ୟବାଦ

ବିଜୁଳି ଆଲୁଅ ଥିଲା ସାତ ସପନ । ଡ଼ିବିରି ଲଣ୍ଠନର ସୀମିତ ଆଲୋକ ଥିଲା ସାହାଭରଷା । ସୂର୍ଯ୍ୟାସ୍ତ ପରେ ଗାଁକୁ ଓହ୍ଲାଇ ଆସୁଥିଲା ଅନ୍ଧାର । ତା’ ପରେ ଆଉ କିଛି କାମ ହୋଇପାରୁନଥିଲା । ଆମ ଭଳି ଆମ ପିଲାଏ ମଧ୍ୟ ସଅଳ ଶୋଇ ପଡ଼ୁଥିଲେ । ଏବେ କିନ୍ତୁ ସେପରି ଆଉ ହେବନି । ଶନିବାର ଗାଁରେ ପ୍ରଥମ କରି ବିଜୁଳି ଆଲୁଅ ଜଳିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜଣେ ଗ୍ରାମବାସୀ ।

ଭୁବନେଶ୍ୱରଠାରୁ ମାତ୍ର ୨୫ କି.ମି ଦୂର ଏପରି ସ୍ଥିତି ଥିବା ଗାଁଟି ହେଉଛି କନ୍ଦଳେଇ । ଛତାବର ପଂଚାୟତ ଅଧିନସ୍ଥ ଏହି ଗାଁଟି ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ କଡ଼ରେ ରହିଛି । ୧୯୭୮ ମସିହା ଠାରୁ ସ୍ଥାପିତ ଏହି ଗାଁରେ ୪୦ ବର୍ଷ ଧରି ଲୋକଙ୍କ ନିକଟରେ ପହଂଚି ପାରୁନଥିଲା ବିଜୁଳି । ବର୍ଷ ବର୍ଷ ଧରି ଅନ୍ଧାର ସହ ଖାପଖୁଆଇ ଚଳି ଆସୁଥିବା ଏହି ଗାଁରେ ରାଜ୍ୟ ସରକାର ବିଜୁଳି ଯୋଗାଣ ଉପଲବ୍ଧ କରିବା ପରେ ଗ୍ରାମବାସୀ ଖୁସିରେ ନାଚି ଉଠିଛନ୍ତି ।
ପ୍ରଥମ କରି ବିଜୁଳି ପହଂଚିଥିବା ଖୁସିକୁ ପାଳିବା ପାଇଁ ଗାଁରେ ଏକ ସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଛତାବର ସରପଂଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ, ପୂର୍ବତନ ସରପଂଚ ବିଷ୍ଣୁପ୍ରସାଦ ଡ଼େଙ୍ଗ, ଜଟଣୀ ବ୍ଲକ ଉପାଧ୍ୟକ୍ଷ ଅମୀୟ ପ୍ରସାଦ ଦଳେଇ, ଅଧ୍ୟକ୍ଷ ବନଜା ଜେନା, ନାଏବ ସରପଂଚ ଚୈତନ୍ୟ ବେହେରା, ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ ସାହୁ, ଗାଁର ମୁଖିଆ ଲୁନ୍ଦୁରୁ କୁଙ୍କାଲ ପ୍ରମୁଖ ଯୋଗ ଦେଇ ବିଜୁଳି ପରବର୍ତ୍ତୀ ଗାଁର ବିକାଶର ଚିତ୍ର ସାମ୍ନାକୁ ଆଣିଥିଲେ । ସଞ୍ଜ ନଇଁଲେ ବିଜୁଳି ଆଲୁଅ ତଳେ ପାଠ ପଢା ଠାରୁ ଜୀବିକା ନିର୍ବାହ ଯାଏ ଅନେକ କଥା କରିହେବ ବୋଲି ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଥିଲେ । କନ୍ଦଳେଇର ବିକାଶ ପାଇଁ ୨୦୧୬ରୁ ନିରବଚ୍ଛିନ୍ନ ଉଦ୍ୟମ କରୁଥିବା ସାମାଜିକ ସଂଗଠନ ‘ଆଶ୍ରା’ ତଥା ସମାଜସେବୀ ସୁଶାନ୍ତ ସାହୁ, ବାଲୁକା ଶିଳ୍ପୀ ସୁବଳ ମହାରଣା, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ହରିହର ପଣ୍ଡା, ସାମାଜିକ କର୍ମୀ ଧୀରେନ୍ଦ୍ର କର, ପ୍ରିୟବ୍ରତ ପଣ୍ଡା, ଗୋପୀମୋହନ ପଟ୍ଟନାୟକ, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ, ଚିତ୍ରଶିଳ୍ପୀ ପଂଚାନନ ସାମଲ, ଇଂ ବାସୁଦେବ ମିଶ୍ର, ଏନଆଇଟି ରାଉରକେଲାର ଲୋକସମ୍ପର୍କ ଅଧିକାରୀ ଇତିଶ୍ରୀ ସିଂ ରାଠୋର, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାସ ଓଝା ପ୍ରମୁଖ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।

10/03/2019

Leave a Reply

Your email address will not be published. Required fields are marked *

Comments