Bikash Khabar
ମେଡ଼ିକାଲ ଶୌଚାଳୟରେ ପଡ଼ୁଛି ତାଲା

ଶୌଚାଳୟ ଅଛି । ଜଳ ଓ ବିଜୁଳି ସଂଯୋଗ ହୋଇଛି । କିନ୍ତୁ ଶୌଚାଳୟ ବାହାରେ ଖୋଲା ଆକାଶ ତଳେ ଚାଲିଛି ଶୌଚ କର୍ମ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସ୍ମାର୍ଟ ସହର ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଶୌଚାଳୟ ନିକଟରେ । ହସ୍ପିଟାଲ ପରିସରରେ ଥିବା ଘରୋଇ ସୁଲଭ ଶୌଚାଳୟଟି ଭୋର ୫ଟାରୁ ରାତି ୧୦ଟା ଯାଏ ଖୋଲେ । ରାତି ୧୦ଟା ପରେ ଶୌଚାଳୟରେ ପଡ଼ିଯାଏ ତାଲା । ତା ପର ଠାରୁ ଦୂର ଦୂରାନ୍ତ ରୋଗୀମାନଙ୍କ ଦୁର୍ଦ୍ଦଶା ଦୁଇଗୁଣ ହୋଇଥାଏ । ରୋଗୀ ଓ ଆଟେଣ୍ଡାଣ୍ଟମାନେ ଜରୁରୀ ଶୌଚ ଆବଶ୍ୟକତା ପାଇଁ ମେଡ଼ିକାଲ ପରିସର ସାରା ଶୌଚାଳୟ ଅନ୍ୱେଷଣରେ ଖୋଜି ନିରାଶ ହେବା ପରେ ପାଖ ଦୋକାନରୁ ମିନେରାଲ ୱାଟର କିଣିନେଇ ଡ଼ାକ୍ତରଖାନା ପରସର ଅନ୍ଧାରୁଆ ଜାଗାରେ ଶୌଚବାସ ସାରେ । ଏଥିପାଇଁ ହସ୍ପିଟାଲ ପରିସରର ଲମ୍ବା ଡ଼୍ରେନ୍ ଏବେ ଖୋଲା ଶୌଚ ଯାଗା ପାଲଟିଛି । କାଜୁଆଲିଟି, ଓପିଡ଼ି ଓ ନିରାମୟ ଔଷଧ କେନ୍ଦ୍ରକୁ ଆସୁଥିବା ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ନାହିଁ ନଥିବା ଦୁଃଖ ଭୋଗନ୍ତି । ମଧୁମେହ ଓ ପ୍ରୋଷ୍ଟେଟ୍ ରୋଗୀମାନେ ପରିସ୍ରାଗାର ନଥିବାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ପରିସ୍ରା କରୁଥିବା ଦେଖାଯାଇଛି । ପରିମଳ ଓ ସ୍ୱଚ୍ଛତାକୁ ନେଇ ବ୍ୟାପକ ପ୍ରଚାର କରାଯାଉଥିଲେ ହେଁ ୬ ନମ୍ବର ଭଳି ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ପରିସରରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଶୌଚାଳୟ । ହସ୍ପିଟାଲ ପ୍ରଶାସକ ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ସୁଶାନ୍ତ ସାହୁ ହସ୍ପିଟାଲର ନିର୍ଦ୍ଦେଶକ ଓ ଅଧିକ୍ଷକଙ୍କ ନିକଟରେ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।

18/03/2019

Leave a Reply

Your email address will not be published. Required fields are marked *

Comments