Bikash Khabar
ମଧ୍ୟପ୍ରଦେଶ : ହେଲା କୃଷି ଋଣ ଛାଡ଼, କନ୍ୟା ବିବାହ ପାଇଁ ୫୧ ହଜାର ସହାୟତା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ଭୋପାଳର ଜମ୍ଭୁରି ମଇଦାନରେ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଭୁପେଶ ବଘେଲ ସୋମବାର ରାୟପୁରଠାରେ ଶପଥ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ମାତ୍ର ୨ଘଣ୍ଟା ଭିତରେ କମଲନାଥ ଏବଂ ବିଳମ୍ବିତ ରାତିରେ ଭୁପେଶ ବଘେଲ କୃଷକଙ୍କ ମୁଣ୍ଡ ଉପରେ ଥିବା କୃଷି ଋଣ ଛାଡ଼ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ ଯେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ କୃଷକଙ୍କ ଋଣ ଛାଡ଼ ଘୋଷଣା କରିଥିଲା । କମଲନାଥଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ ଏବଂ ବଘେଲଙ୍କ ଶପଥ ଗ୍ରହଣ ସମାରୋହରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଂଚାସୀନ ଥିଲେ । ଛତିଶଗଡ଼ରେ ଟିଏସ ସିଂହଦେବ ଏବଂ ତାମ୍ରଧ୍ୱଜ ସାହୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । କମଲନାଥ ଏବଂ ବଘେଲ ଚାଷୀଙ୍କ ଋଣ ଛାଡ଼ ବ୍ୟତୀତ ଅନ୍ୟ କିଛି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଥିଲେ ।
୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟର ୨ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରାଯିବ । ୭୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗ ଗୁଡ଼ିକୁ ସରକାରୀ ସହାୟତା ପ୍ରଦାନ କରାଯିବ । ଇନ୍ଦୋର, ଜବଲପୁର ଏବଂ ଛିନ୍ଦୱାଡ଼ାରେ ଗାର୍ମେଣ୍ଟ ପାର୍କ ପ୍ରତିଷ୍ଠା କରାଯିବ । କନ୍ୟା ବିବାହ ପାଇଁ ସରକାର ୫୧ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବେ । ଏଥିପାଇଁ କୌଣସି ବୟସ ସୀମା ରହିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ସରକାର କ୍ଷମତାକୁ ଆସୁ ଆସୁ ଆକ୍ସନ ମୋଡ଼ରେ ଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଏଭଳି ତ୍ୱରିତ ନିଷ୍ପତ୍ତି ରାଜ୍ୟର କିଭଳି ବିକାଶ ଘଟାଇବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । 
 

18/12/2018

Leave a Reply

Your email address will not be published. Required fields are marked *

Comments