Bikash Khabar
ସୁରକ୍ଷା ଢିଲା, ପ୍ରଶାସନ ଚୁପ୍, ଝରକା ବାଟେ କପି ଯୋଗାଉଛନ୍ତି ଅଭିଭାବକ

ମାଟ୍ରିକ ପରୀକ୍ଷାରେ ବେଧଡ଼କ ଚାଲିଛି କପି ଯୋଗାଣ । ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାର ଦୁଇଟି ସ୍କୁଲରେ ପାଚେରୀ ଡ଼େଇଁ ଅଭିଭାବକମାନେ କପି ଯୋଗାଉଥିବାର ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେବା ସତ୍ୱେ ବି ବୋର୍ଡ଼ କର୍ତ୍ତୃପକ୍ଷ ସବୁକିଛି ଠିକ୍ ଚାଲିଛି ଓ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଅପପ୍ରଚାର କରୁଛନ୍ତି ବୋଲି ସଫେଇ ଦେଇ ଘଟଣାକୁ ଘୋଡ଼ାଇ ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ଉଦ୍ୟମ ସତ୍ୱେ ମାଟ୍ରିକ ପରୀକ୍ଷାରେ କପି ରୋକାଯାଇପାରିନାହିଁ । ସୋମବାର ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ବିଷୟର ପରୀକ୍ଷା ଥିଲା । କିଛି ସମୟ ପରେ ଅବଜେକଟିଭ ପ୍ରଶ୍ନପତ୍ର କେନ୍ଦ୍ର ବାହାରକୁ ଆସିଥିଲା ପରେ ସବଜେକଟିଭ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଢେଙ୍କାନାଳ ଓ ବଲାଙ୍ଗିରରୁ ଇଂରାଜୀ ଏ ସେଟ ଭାଇରାଲ ହୋଇଥିଲା । କେନ୍ଦ୍ରକୁ ମୋବାଇଲି ବାରଣ ସତ୍ୱେ ଭାଇରାଲ ହେଉଥିବା ଖବରକୁ ନେଇ ଅଭିଭାବକ ଚିନ୍ତାରେ । ତେଣେ ପରିଷଦ ସଭାପତି ଜାହାନାରା ବେଗମ ପ୍ରଶ୍ନପତ୍ର ଭାଇରାଲକୁ ଅସ୍ୱିକାର କରିଛନ୍ତି । ଏହା ଗୁଜବ ବୋଲି କହିଛନ୍ତି ଜାହାନାରା ।
ଅଭିଭାବକ ମାନେ ୫ରୁ ୬ ଫୁଟ ଉଚ୍ଚତାର ପାଚେରୀ ଡ଼େଇଁ ଛାତ୍ରଛାତ୍ରୀଙ୍କୁ କପି ଯୋଗାଉଥିବାର ଦୃଶ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେବାକୁ ନେଇ ପରିଷଦ ସଭାପତି କିନ୍ତୁ ନୀରବ ଥିଲେ ।  ଏହି କେନ୍ଦ୍ରରେ ନା ଥିଲେ ପୋଲିସ ନା ଥିଲେ କୌଣସି ପ୍ରଶାସନିକ ଅଧିକାରୀ । ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଏଭଳି ବେଧଡ଼କ ଖେଳର ଦୃଶ୍ୟ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀ ଦେଖୁଥିବାବେଳେ ବୋର୍ଡ଼ କର୍ତ୍ତୃପକ୍ଷ ନିଜ ଆଖି ଓ କାନକୁ ବୁଜି ବସିଛନ୍ତି । ପାଟି ଖୋଲି ଏହା ମିଛ ବୋଲି ଦୋହରାଉଛନ୍ତି । ହେଲେ ସିଧାସଳଖ ଏଭଳି ଦୃଶ୍ୟ ଦେଖି କିଏ ମିଛ କହୁଛି ଜନସାଧାରଣ ବୁଝିବାରେ ବାକି ନାହିଁ ।

26/02/2019

Leave a Reply

Your email address will not be published. Required fields are marked *

Comments