Bikash Khabar
ବିଶ୍ୱରେ ପ୍ରଥମ, କେନ୍ଦୁଝରରେ ଖୋଲିଲା ଡ଼ାହାଣୀ ସନ୍ଦେହରେ ହତ୍ୟାର ଶିକାର ନିରୀହଙ୍କ ମେମୋରିଆଲ

ଡ଼ାହାଣୀ ସନ୍ଦେହରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ସ୍ମୃତି ଚାରଣ ପୂର୍ବକ ଏକ ମେମୋରିଆଲ କେନ୍ଦୁଝରଠାରେ ସ୍ଥାପିତ ହୋଇଛି । ଏଭଳି ପ୍ରୟାସ ବିରଳ । ବିଶ୍ୱରେ ପ୍ରଥମ କରି ଏଭଳି ମେମୋରିଆଲ କେନ୍ଦୁଝରରେ କରାଯାଇଥିବା କୁହାଯାଇଛି ।

ଝାରଖଣ୍ଡ, ଓଡ଼ିଶା, ଛତିଶଗଡ଼ ଓ ଆସାମ ଆଦି ରାଜ୍ୟରେ ଡ଼ାହାଣୀ ସନ୍ଦେହରେ ଅମାନବିକ ନିର୍ଯ୍ୟାତନାର ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ । ଗତ ସୋମବାର ଦିନ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକାମ୍ବ ଗାଁରେ ଡ଼ାହାଣୀ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯିବାର ସଦ୍ୟତମ ଘଟଣା ଏଥିରେ ଯୋଡ଼ି ହୋଇଛି । ଗତ ଜାନୁଆରୀ ଶେଷ ସପ୍ତାହରେ ସୁନ୍ଦରଗଡ଼ରେ ଡ଼ାହାଣୀ ସନ୍ଦେହରେ ଜଣେ ମହିଳା ଓ ତାଙ୍କର ଚାରିଜଣ ସନ୍ତାନଙ୍କୁ ନିଷ୍ଠୁର ଭାବରେ ହତ୍ୟା କରିଥିବା ଅଭିଯୋଗରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ୨୦୦୮ ପରଠାରୁ ପ୍ରତିବର୍ଷ ଆମ ରାଜ୍ୟରେ ଡ଼ାହାଣୀ ସନ୍ଦେହରେ ୭୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିବା କହିଛନ୍ତି ହେତୁବାଦୀ ସମାଜର ସମ୍ପାଦକ ଦେବେନ୍ଦ୍ର ସୂତାର । ଅନ୍ଧ ବିଶ୍ୱାସ ଯୋଗୁଁ ଏହା ବଢୁଛି । ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଏଭଳି ଘଟଣା ଚିନ୍ତା ବଢାଇଛି । ଏହାକୁ ପ୍ରତିହତ ପାଇଁ ଆଇନ ପ୍ରଣୟନ ହୋଇଛି କିନ୍ତୁ ଆସାମୀମାନଙ୍କୁ ଦଣ୍ଡ ଦେବାରେ ଆଇନ ଦନ୍ତହୀନ ସାବ୍ୟସ୍ତ ହୋଇଥିବା କୁହାଯାଉଛି । ଉପଯୁକ୍ତ ଦଣ୍ଡ, ଶିକ୍ଷାର ପ୍ରସାର, ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଡ଼ାହାଣୀ ଓ ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଦୂର କରିପାରିବ ବୋଲି ମତ ପ୍ରକାଶ ପାଇଛି ।

28/02/2019

Leave a Reply

Your email address will not be published. Required fields are marked *

Comments