Bikash Khabar
ଧାନ କ୍ରୟ ଜନିତ ସରକାରୀ ଗୋଲାପୀ ଚିତ୍ରରେ ଲାଗିଛି କଳା ଛିଟା, ଦଲାଲ ରାଜ ଚାଲିଥିବା ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲାରେ ଚାଷୀଙ୍କ ଠାରୁ ୫୨ଟି ଲ୍ୟାମ୍ପସର ୯୭ଟି ମଣ୍ଡିରେ ଡ଼ିସେମ୍ବର ୧୭ ଠାରୁ ଏ ଯାଏଁ ଧାର୍ଯ୍ୟ ଲକ୍ଷର ୭୫ ପ୍ରତିଶତ ଧାନ କିଣାଯାଇଛି ବୋଲି ଜିଲ୍ଲା ପ୍ରଶାସନ ଗୋଲାପୀ ଚିତ୍ର ଦେଖାଉଥିବାବେଳେ ଦଲାଲଙ୍କ ହାତରେ ଧାନ ବିକ୍ରୀର ଟୋକନ ଥିବା କାରଣରୁ ଏଥିରେ କଳା ଛିଟା ଲାଗିଛି ବୋଲି ଅଭିଯୋଗ ଉଠିଛି ।

ମୟୂରଭଞ୍ଜ ଜିଲ୍ଲାରେ ୧୪,୬୪୮ ଜଣ ଚାଷୀ ଧାନ ବିକ୍ରୀ କରିଥିବା ଅନ ଲାଇନ ପଞ୍ଜିକରଣ ତଥ୍ୟ କହୁଥିବାବେଳେ ବିକ୍ରୀ ହୋଇ ପାରିନଥିବା ଧାନ ସହିତ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିଛନ୍ତି । କୁଳିଅଣା ବ୍ଲକ ଚାନ୍ଦୁଆ ଲ୍ୟାମ୍ପସରେ ଚାଷୀଙ୍କ ଠାରୁ ଧାନ କିଣା ନଯାଇ ଦଲାଲଙ୍କ ଠାରୁ ଧାନ କିଣାଯାଉଥିବା ଅଭିଯୋଗ ଉଠିଛି । ମଣ୍ଡିକୁ ଦୌଡ଼ି ଦୌଡ଼ି ଧାନ ବିକ୍ରୀ କରିପାରୁନଥିବା ଚାଷୀମାନେ ଜିଲ୍ଲାପାଳଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି । ଜଣେ ଚାଷୀ ଦିନକୁ ୪୦ କ୍ୟୁଣ୍ଟାଲ ଧାନ ବିକ୍ରୀ କରିବାର ନିୟମ କରିଛନ୍ତି ସରକାର । ଚାଷୀଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ଯିବାର ବ୍ୟବସ୍ଥା ବି ହୋଇଛି । କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ଅନେକ ବ୍ଲକରେ ଚାଷୀମାନେ ମଣ୍ଡିକୁ ଧାନ ନେଇ ବାରମ୍ବାର ଫେରୁଥିବା ଅଭିଯୋଗ ଉଠୁଛି । ଚାଷୀ ଧାନ ବିକ୍ରି କରିପାରୁନଥିବା ବେଳେ ଜିଲ୍ଲାରେ ଧାନ କିଣା ଲକ୍ଷ୍ୟ ୭୫ ପ୍ରତିଶତ ପୂରଣ କିଭଳି ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

17/01/2019

Leave a Reply

Your email address will not be published. Required fields are marked *

Comments