Bikash Khabar
ବିରୋଧୀଙ୍କ ଅଭିଯୋଗ, ମହିଳାଙ୍କ ଭୋଟ ପାଇଁ ଏସଏଚଜିଙ୍କୁ ଟଙ୍କା ବାଣ୍ଟୁଛନ୍ତି ନବୀନ

ଶନିବାର ପୁରୀରେ ବିଜେଡ଼ି କରୁଛି ମହିଳା ସମାବେଶ । ଏହା ସରକାରୀ କାର୍ଯ୍ୟକ୍ରମ ବୋଲି ରଙ୍ଗ ଦିଆଯାଇଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର କେତେ ମାସ ବାକିଥିବା ବେଳେ ଦଳ ସୁପ୍ରିମୋ ମହିଳା କାର୍ଡ଼ ଖେଳିଛନ୍ତି । ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବରେ ସମର୍ଥନ ଯୋଗାଡ଼ ପାଇଁ ଦଳର ସାଂସଦମାନେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ନେତାଙ୍କୁ ଭେଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହାସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ପୁରୀ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ସିଡ଼୍ ମନି ସହାୟତା, ପ୍ରତି ବ୍ଲକ ସ୍ତରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ଓ ଦଳକୁ ମୋବାଇଲି କିଣିବା ପାଇଁ ୩ହଜାର ଟଙ୍କାର ସହାୟତା ବଣ୍ଟନ କାର୍ଯ୍ୟକ୍ରମ ରହିଛି ।

ଏହାର ଅବ୍ୟବହିତ ପୂର୍ବରୁ ମିଶନ ଶକ୍ତି ନିର୍ଦ୍ଦେଶିକା ଥିବା ତଥା ବର୍ତ୍ତମାନର ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀ ନବୀନଙ୍କ ଏହା ମହିଳା ସଶକ୍ତିକରଣ ନୁହେଁ ବରଂ ଭୋଟ ରାଜନୀତି ବୋଲି ଆଖ୍ୟା ଦେଇଛନ୍ତି । ଓଡ଼ିଶାରେ ୪କୋଟି ୧୯ ଲକ୍ଷ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା । ସଂଖ୍ୟାରେ ଅଧା ହେଲେ ବି ଏମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଜୀବିକା ସବୁଥିରେ ଓଡ଼ିଶା ପଛରେ । ମହିଳା ବିରୋଧୀ ହିଂସା ବି କିଛି କମ୍ ନାହିଁ । ପ୍ରତି ମହିଳା ସ୍ୱୟଂ ସହାୟକ ଦଳକୁ ନବୀନ ୩ ବର୍ଷରେ ୧୫ ହଜାର ଦେବେ । ପ୍ରତି ଦଳରେ ୧୦ରୁ ୧୫ ଜଣ ମହିଳା ଅଛନ୍ତି । ତିନି ବର୍ଷରେ ଜଣେ ମହିଳାଙ୍କୁ ୧୦୦୦ ଟଙ୍କା ଯୋଗାଇଦେବେ ନବୀନ । ତିନି ବର୍ଷରେ ହଜାରେ ଟଙ୍କା ପାଇଲେ ତାର କିଭଳି ଆର୍ଥିକ ସ୍ଥିତି ଦୃଢ ହେବ ତାହାକୁ ପ୍ରଶ୍ନ କରିଛନ୍ତି ଅପରାଜିତା । ୨୦୧୭-୧୮ ବର୍ଷରେ ଏସଏଚଜି ପାଇଁ ଟଙ୍କାଟିଏ ଖର୍ଚ୍ଚ କରିନଥିବା ସରକାର ଏବେ ତିନିବର୍ଷରେ ଜଣେ ମହିଳାଙ୍କ ପାଇଁ ହଜାରେ ଟଙ୍କା ବ୍ୟବସ୍ଥା କରାଇ ଆର୍ଥିକ ସ୍ୱାବଲମ୍ବୀ କିଭଳି କରିବେ ତାକୁ ନେଇ ପ୍ରଶ୍ନ ଉଠିଛି । 
 

 

05/01/2019

Leave a Reply

Your email address will not be published. Required fields are marked *

Comments