Bikash Khabar
ବୀମା ନଥିବା ଗାଡ଼ି ଦୁର୍ଘଟଣା ହେଲେ ମାଲିକଙ୍କ ଠାରୁ ଆଦାୟ ହେବ କ୍ଷତି ପୂରଣ

ସଡ଼କ ଦୁର୍ଘଟଣାରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ ପାଇଁ ରାଜ୍ୟ ପରିବହନ ବିଭାଗ ଅଣ୍ଟା ଭିଡ଼ିଛି । ସଂଶୋଧନ କରାଯାଇଛି ଓଡ଼ିଶା ମଟର ଯାନ ନିୟମାବଳୀ ୧୯୬୦ । ଚିଠା ନିୟମ ଜାରୀ କରିଛି ବିଭାଗ । କୁହାଯାଇଛି ଯେ ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ । ଯଦି କ୍ଷତିପୂରଣ ରାଶି ଦାଖଲ ନକରନ୍ତି ତେବେ ସରକାର ତାଙ୍କ ଗାଡ଼ିକୁ ନିଲାମ କରି ସେହି ଅର୍ଥ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରଦାନ କରିବେ । 

ପୂର୍ବରୁ ଗାଡ଼ି ଦୁର୍ଘଟଣା ସ୍ଥଳେ ବୀମା ନଥିଲେ ଗାଡ଼ି ଚାଳକଙ୍କ ଠାରୁ ଜୋରିମାନା ଆଦାୟର ବ୍ୟବସ୍ଥା ନଥିଲା । ସଂଶୋଧିତ ଆଇନ ଅନୁସାରେ ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ରାଶି ଗାଡ଼ି ମାଲିକଙ୍କ ଠାରୁ ଭରଣା କରାଯିବାର ବ୍ୟବସ୍ଥା କରାଯାଇଛି । ବୀମା ନଥାଇ ଗାଡ଼ି ମାଲିକ ଦୁର୍ଘଟଣା ଘଟାଇ କାହାକୁ ମୃତାହତ କଲେ କ୍ଷତିପୂରଣ ଦେବାକୁ ବାଧ୍ୟ । ଏହି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ କୌଣସି ଅଦାଲତ ମୁକୁଳାଇ ପାରିବେ ନାହିଁ ।
ମୋଟର ଯାନ ଦୁର୍ଘଟଣା ମାମଲାରେ ଅନୁଧ୍ୟାନକାରୀ ତଦନ୍ତ ଅଧିକାରୀଙ୍କ କର୍ତ୍ତବ୍ୟ ପରିସର, ପଞ୍ଜିକରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ କର୍ତ୍ତବ୍ୟ, ବୀମା କମ୍ପାନୀଙ୍କ ଭୂମିକା, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ମୁକୁଳାଇବାର ନିୟମ, ଡ଼ାକ୍ତରୀ ମାଇନା କରିବାର କ୍ଷମତା, କ୍ଷତିପୂରଣ ଦାବିକାରୀଙ୍କ ସୁରକ୍ଷା ପ୍ରସଙ୍ଗରେ ପରିବର୍ତ୍ତନ କରାଯାଇଛି । ତୃତୀୟ ପକ୍ଷ ବୀମା ନଥିବାରୁ ଅନେକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି କ୍ଷତିପୂରଣ ପାଇବା ଅଧିକାରରୁ ବଂଚିତ ହେଉଥିବା ଦୃଷ୍ଟିକୁ ଆସିବା ପରେ ଏଭଳି ସଂଶୋଧନ ହୋଇଥିବା ଜଣାଯାଇଛି । 
 

07/01/2019

Leave a Reply

Your email address will not be published. Required fields are marked *

Comments