Bikash Khabar
ସ୍ନାତକ ପଢିଥିବା କନଷ୍ଟେବଳଙ୍କ ହାତରେ ରହିବ ତଦନ୍ତ କ୍ଷମତା

ଓଡ଼ିଶା ପୋଲିସ କନଷ୍ଟେବଳ ଓ ହାବିଲଦାର ହାତରେ ରହିବ ତଦନ୍ତ କ୍ଷମତା । ଚୋରୀ, ଗଣ୍ଡଗୋଳ ଭଳି ସାଧାରଣ ଛୋଟ କାଟିଆ ମାମଲା ଗୁଡ଼ିକର ତଦନ୍ତ କରିବେ କନଷ୍ଟେବଳ । ସ୍ନାତକ ଡ଼ିଗ୍ରୀଧାରୀ କନଷ୍ଟେବଳ ଏବଂ ଅପରାଧ ତଦନ୍ତ କ୍ଷେତ୍ରରେ ଅନୁଭବ ଓ ଜ୍ଞାନ ଥିବା ହାବିଲଦାରଙ୍କୁ ଏହି କ୍ଷମତା ଦିଆଯିବ । ଓଡ଼ିଶା ପୋଲିସର ଏଭଳି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର ।

ଭାରତୀୟ ଦଣ୍ଡବିଧି ସଂହିତାରେ ମୋଟ ୫୧୧ଟି ଦଫା ରହିଥିବାବେଳେ ସେଥିରୁ ୩ ବର୍ଷରୁ କମ୍ ଜେଲ ଦଣ୍ଡ ପ୍ରାବଧାନ ଥିବା ଦଫା ଗୁଡ଼ିକ ଯଥା ୩୭୯,୨୯୪,୩୨୪,୩୪୧ ଇତ୍ୟାଦି ମାମଲା ଗୁଡ଼ିକର ତଦନ୍ତ କନଷ୍ଟେବଳ କରିବେ । ଏଥିପାଇଁ ସେମାନଙ୍କୁ ୪ରୁ ୫ ସପ୍ତାହ ଟ୍ରେନିଂ ଦିଆଯିବ । ପରେ କାଗଜପତ୍ର କାମ ପାଇଁ ସଂପୃକ୍ତ ଥାନା ସେମାନଙ୍କୁ ୪୫ ଦିନ ଟ୍ରେନିଂ ଦେବ । ମାମଲା ରୁଜୁ କରିବା ତଥ୍ୟ ପ୍ରମାଣ ଯୋଗାଡ଼, କେସ ଡ଼ାଏରୀ ଲେଖିବା ମାମଲାର ତଦନ୍ତ ଶେଷ କରିବା କାମରେ ସେମାନେ ତାଲିମ ପାଇବେ । ତାଲିମ ଶେଷରେ ପରୀକ୍ଷା ହେବ । ପରୀକ୍ଷାରେ ସଫଳତା ପାଇଲେ ସେମାନେ ତଦନ୍ତ କ୍ଷମତା ପାଇବେ ବୋଲି ପୋଲିସ ବିଭାଗ ସୂତ୍ରରୁ ଜଣାଯାଇଛି ।
ଏବେ ଓଡ଼ିଶା ପୋଲିସରେ ୮ ହଜାରରୁ ଅଧିକ ହାବିଲଦାର ଓ କନଷ୍ଟେବଳ ଅଛନ୍ତି । ହାବିଲଦାରମାନେ ତଦନ୍ତରେ ଏଏସଆଇ ମାନଙ୍କୁ ସହଯୋଗ କରୁଥିବାବେଳେ କନଷ୍ଟେବଳମାନେ ଏହି ପ୍ରକ୍ରିୟାରେ କେବଳ ଘଟଣାସ୍ଥଳକୁ ଯାଇଥାନ୍ତି ଓ ତଦନ୍ତକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବିକ ସହାୟକ ଭୂମିକା ତୁଲାଇଥାନ୍ତି । 
 

05/01/2019

Leave a Reply

Your email address will not be published. Required fields are marked *

Comments