Bikash Khabar
ମିଶନ ଶକ୍ତି ଜରିଆରେ ହେବ ମାଛ ଚାଷ

ପ୍ରତି ପଂଚାୟତରେ ଥିବା ଗୋଟିଏ ପୋଖରୀରେ ଚଳିତ ବର୍ଷରୁ ସ୍ୱତନ୍ତ୍ର ପ୍ରଣାଳୀରେ ମାଛ ଚାଷ କରାଯିବ । ପଂଚାୟତିରାଜ ବିଭାଗର ଅନୁମୋଦନ କ୍ରମେ ମତ୍ସ୍ୟ ବିଭାଗ ଏ ନିଷ୍ପତ୍ତି କରିଛି । ଏହି ମାଛ ଚାଷର ସମସ୍ତ ଦାୟିତ୍ୱ ମିଶନ ଶକ୍ତି ଦ୍ୱାରା ଗଠିତ ମହିଳା ସ୍ୱୟଂ ସହାୟକ ଦଳକୁ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୩ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୭ ଶହ ହେକ୍ଟର ପରିମିତ ଜଳାଶୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ମତ୍ସ୍ୟ ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ନିକଟରେ ଆୟୋଜିତ ଏକ କର୍ମଶାଳାରେ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁଗର୍ଗ କହିଥିଲେ ଯେ ପଂଚାୟତ ପୋଖରୀ ଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଦୀର୍ଘମିଆଦୀ ସୂତ୍ରରେ ଲିଜ୍ ଦିଆଯାଇ ବୈଷୟିକ ପ୍ରଣାଳୀରେ ମାଛ ଚାଷ କରାଗଲେ ଗ୍ରାମାଂଚଳର ଆର୍ଥିକ ଉନ୍ନତି ଘଟିପାରିବ । ୨୦୧୯-୨୦ ସୁଦ୍ଧା ଗ୍ରାମ ପଂଚାୟତ ପୋଖରୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବୈଷୟିକ ପ୍ରଣାଳୀରେ ମାଛ ଚାଷ କରିବା ଦ୍ୱାରା ଅଧିକ ଉତ୍ପାଦନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଥିଲେ ସମସ୍ତ ପଂଚାୟତ ପୋଖରୀକୁ ଆଧୁନିକ ପ୍ରଣାଳୀରେ ମାଛ ଚାଷ ନିମନ୍ତେ ୧ ପ୍ରତିଶତ ସୁଧରେ ଚଳନ ପୁଞ୍ଜି ଋଣ ରାଜ୍ୟ ସରକାର ଯୋଗାଇ ଦେବେ । ଏହାର ସୁବିଧା ନିଆଯିବା ଦରକାର ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ହଜାର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ୧୬୦୦ ହେକ୍ଟର ପରିମିତ ପୋଖରୀକୁ ମାଛ ଚାଷ ପାଇଁ ଲିଜ୍ ଦିଆଯିବ । ମତ୍ସ୍ୟ ବିଭାଗ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ୯୦ ହଜାର ଟଙ୍କା ରିଆତି ଦେବେ । 
 

28/09/2018

Leave a Reply

Your email address will not be published. Required fields are marked *

Comments