Bikash Khabar
ଢେଙ୍କାନାଳ ରାସ୍ତାକଡ଼ରୁ ଉଦ୍ଧାର ରୀନା ପାଇଲା ଆମେରିକା ଦମ୍ପତ୍ତିଙ୍କ କୋଳ

ବଡ଼ ବିଚିତ୍ର ବିଧିର ବିଧାନ । ଆଜିର ସ୍ଥିତି କାଲି ଯେ କିପରି ଥିବ ତାହା ଏଠି ଠଉରାଇବା ବଡ଼ ମୁସ୍କିଲ । ଏଭଳି ଏକ ଘଟଣାକୁ ନେଇ ଚାଲିଛି ବ୍ୟାପକ ଚର୍ଚ୍ଚା । ୫ ବର୍ଷ ତଳେ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଏକ କନ୍ୟା ସନ୍ତାନ ଏବେ ଆମେରିକାର ଏକ ଦମ୍ପତ୍ତିଙ୍କ କୋଳ ପୂର୍ଣ୍ଣ କରିଛି । ୫ ବର୍ଷର ଏହି ଶିଶୁକନ୍ୟା ରୀନାକୁ ନେଇ ଭର୍ଜିନିଆ ସହରର ଏହି ଦମ୍ପତ୍ତି ଆମେରିକା ଚାଲିଯାଇଛନ୍ତି ।

୫ ବର୍ଷ ତଳେ ଅସହାୟ ଅବସ୍ଥାରୁ ଉଦ୍ଧାର ହୋଇଥିଲା ରୀନା । ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନରେ ଅସହାୟ ଏହି କନ୍ୟା ସନ୍ତାନଙ୍କୁ ଆଶ୍ରୟ ଦେଇଥିଲା । ସେପଟେ ସନ୍ତାନ ଶୂନ୍ୟ ଭର୍ଜିନିଆ ସହରର ଆଲାନଲି ଜେନି ଓ ତାଙ୍କ ପତ୍ନୀ ସାରାରାଚେ ଜେନି ସେଣ୍ଟ୍ରାଲ ଆଡ଼ପସନ ରିସୋର୍ସ ଅଥରିଟି ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅନଲାଇନରେ ଆବେଦନ କରିଥିଲେ । ଆଫା ନାମକ ଏକ ସଂସ୍ଥା ଏ ଦିଗରେ ସହାୟତା କରିଥିଲା । ଆଫା ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜରିଆରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସହିତ ଯୋଗାଯୋଗ କରିବା ପରେ ଦମ୍ପତ୍ତି ଗୁରୁବାର ଦିଲ୍ଲୀରେ ପହଂଚିଥିଲେ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗୃହରେ ଗୃହ ପରିଚାଳକ ବିଭୃତି ଭୂଷଣ ଦାସ ଶିଶୁ କନ୍ୟା ରୀନାକୁ ହସ୍ତାନ୍ତର କରିଥିଲେ ।

09/03/2019

Leave a Reply

Your email address will not be published. Required fields are marked *

Comments