Bikash Khabar
କଡ଼ ଲେଉଟାଇଲା ଦାନ ମାଝୀ ଘଟଣା, ମୟୂରଭଞ୍ଜରେ ସ୍ତ୍ରୀର ଶବକୁ କାନ୍ଧରେ ବୋହିଲେ

କଳାହାଣ୍ଡିର ଦାନ ମାଝୀ ଘଟଣା ବିଶ୍ୱବାସୀଙ୍କୁ ସ୍ତବ୍ଧ କରାଇ ଦେଇଥିଲା । ଏଥିପାଇଁ ଓଡ଼ିଶାର ଚିତ୍ର ମଳିନ ହୋଇଥିଲେ ହେଁ ରାଜ୍ୟ ସରକାର ଏ ଦିଗରେ ଯେଭଳି ଯତ୍ନଶୀଳ ହେବା କଥା ହୋଇନଥିବାରୁ ପୁଣି ଏକ ସମାନ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ପାଂଚପୀଢ ଉପଖଣ୍ଡ ଅଧୀନସ୍ଥ ଶୁକ୍ରୁଳି ବ୍ଲକରେ ଘଟିଛି ଏଭଳି ଅମାନବିକ ଘଟଣା । ରରୁଆଁ ବ୍ଲକ ବୈଦ୍ୟନାଥ ଗ୍ରାମର ଶତୃଘନ ହେମ୍ରମଙ୍କ ପତ୍ନୀ ସୁମିତ୍ରାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଶୁକ୍ରୁଳି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ସୁମିତ୍ରା । ହେଲେ ଅତ୍ୟନ୍ତ ଗରିବ ଶତ୍ରୁଘନ ପାଖରେ ସ୍ତ୍ରୀ ର ଶବ ନେବା ପାଇଁ ସକ୍ଷମ ନଥିଲା । ଶବ ବୋହିନେବା ପାଇଁ ଗୋଟିଏ ଗାଡ଼ି ବୁଝିବା ବେଳକୁ ଗାଡ଼ିବାଲା ୩ ହଜାର ଟଙ୍କା ନେବ ବୋଲି କହିଲା । ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ଶବ ସକାଳ ୮ରୁ ସନ୍ଧ୍ୟା ୭ ଯାଏ ପଡ଼ି ରହିଥିଲା । କୌଣସି ଉପାୟ ନପାଇ ସୁମିତ୍ରାଙ୍କ ସ୍ୱାମୀ, ପୁଅ ଓ ନାତି ଶବକୁ କାନେ୍ଧଇ ନେଇ ଆଗକୁ ଚାଲିଥିଲେ । ଏଭଳି ଚିତ୍ର ସ୍ଥାନୀୟ ସମାଜସେବୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଦୃଷ୍ଟିକୁ ଆସିବା ପରେ ଶବ ନେବା ପାଇଁ ସହାୟତା ଦେବାକୁ କୁହାଯାଇଥିଲା । ଜଣେ ଅଟୋ ଚାଳକ ଦେଖାଇଥିଲେ ମାନବ ପଣିଆ । ବିନା ମୂଲ୍ୟରେ ଶବଟିକୁ ଗାଁରେ ପହଂଚାଇ ଦେଇଥିଲେ ଅଟୋ ଚାଳକ ସନାତନ ବେହେରା । ୧୧ ଘଣ୍ଟା ପାଖାପାଖି ଶବ ମେଡ଼ିକାଲ ବାରଣ୍ଡାରେ ପଡ଼ିଥିବାବେଳେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଏବେ ଶତ୍ରୃଘନ ମୁଣ୍ଡରେ ଅଠା ବୋଳି ଖସିବାକୁ ବସିଛନ୍ତି । ମେଡ଼ିକାଲ ଅଫିସର କହିଛନ୍ତି ଯେ ଆମକୁ ନଜଣାଇ ଶତ୍ରୃଘନ ଶବ ନେଇ ଚାଲିଯାଇଛି । ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏଭଳି ଉତ୍ତର ସ୍ଥାନୀୟ ଅଂଚଳବାସୀଙ୍କୁ କ୍ଷୁବ୍ଧ କରାଇଛି । 
 

07/01/2019

Leave a Reply

Your email address will not be published. Required fields are marked *

Comments