Bikash Khabar
ବିହନ ଅଦଳ ବଦଳ ପାଇଁ ବେଲଘରରେ ପାଳିତ ହେଲା ବୁର୍ଲାଙ୍ଗ ଯାତ୍ରା

ତୁମୁଡ଼ିବନ୍ଧ ବ୍ଲକର ରାଙ୍ଗାପାରୁ ଗ୍ରାମରେ ସିଡ଼ବ୍ଲୁଏସ ଭୁବନେଶ୍ୱର, ମିଲେଟ ନେଟ ୱାର୍କ (ମିନି) ଏବଂ ନିର୍ମାଣ ସଂଗଠନର ମିଳିତ ଉଦ୍ୟମରେ ପାରମ୍ପରିକ କ୍ଷୁଦ୍ର ପେନ୍ଥା ଜାତୀୟ ଶସ୍ୟ ଓ ଦେଶୀ ବିହନର ଅଦଳ ବଦଳ ଓ ପ୍ରଦର୍ଶନୀ ପାଇଁ ଏକ ନିଆରା ଉତ୍ସବର ଆୟୋଜନ ହୋଇଥିଲା । କୁଟିଆ କନ୍ଧ ଅଧ୍ୟୁଷିତ ବେଲଘର ପର୍ବତମାଳାରେ ବୁର୍ଲାଙ୍ଗ ଅର୍ଥ କୁଇ ଭାଷାରେ ବିହନ । ବିହନ ଯାତ୍ରା ନାମରେ ପାଳିତ ଏହି ପର୍ବରେ ଆଖପାଖ ପଂଚାୟତ ତଥା ଗ୍ରାମର ଚାଷୀମାନେ ଏକାଠି ହୋଇ ନାଚ, ଗୀତ ଓ ବିହନ ଶୋଭାଯାତ୍ରା ତଥା ପ୍ରଦର୍ଶନୀ ଜରିଆରେ ପାରମ୍ପରିକ ଦେଶୀ ବିହନର ବନ୍ଦାପନା କରିଥିଲେ ।

କୋଟଗଡ଼ ବ୍ଲକର ମାଦାଗୁଡ଼ା ଓ ସଦର ଗ୍ରାମପଂଚାୟତ ସମେତ ତୁମୁଡ଼ିବନ୍ଧ ବ୍ଲକର କରୁକୁଡ଼ୁମା, ତୁମୁଡ଼ିବନ୍ଧ, ମୁଣ୍ଡିଗଡ଼, ଗୁମା, ବେଲଘର ଓ ଝିରିପାଣି ପଂଚାୟତରୁ ୬୦୦ରୁ ଅଧିକ ଚାଷୀ ଯୋଗ ଦେଇଥିଲେ । ସ୍ତମ୍ଭକାର ସୁଦର୍ଶନ ଛୋଟରାୟ, ହାଟ ଅନୁଷ୍ଠାନର ପ୍ରମୋଦ ଚନ୍ଦ୍ର ଦାଶ, ନିର୍ମାଣର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଜୈବ ବିବିଧତାର ସୁରକ୍ଷା, ଜଙ୍ଗଲ ରକ୍ଷା ଓ ଜୈବିକ ପଦ୍ଧତିରେ ଦେଶୀ ବିହନର ଚାଷ ଓ କ୍ଷୁଦ୍ରଦାନା ଜାତୀୟ ଶସ୍ୟର ଚାଷ ଓ ସଂପ୍ରସାରଣ ଦିଗରେ ସମସ୍ତଙ୍କର ଉଦ୍ୟମ କାମନା କରିଥିଲେ ।
ମହିଳା ଚାଷୀ ସୁଡ଼ାଲି ମାଝୀ, ସଦା ମାଝୀ, ରମା ଦେଇ ଜାନୀ ପ୍ରମୁଖ ବେଲଘର ଅଂଚଳର ଚାଷୀମାନେ ବର୍ଷ ବର୍ଷ ଧରି କିଭଳି ମାଣ୍ଡିଆ, ମକା, କୁଇରୀ, କାଙ୍ଗୁ, ଜହ୍ନା, ଡ଼ଙ୍ଗରାଣୀ ଆଦି ଚାଷ କରି ଆସିଛନ୍ତି ତାହା ଦର୍ଶାଇଥିଲେ ଏବଂ ବୁର୍ଲାଙ୍ଗ ଯାତ୍ରା ଜରିଆରେ ନିର୍ମାଣ ସଂଗଠନ ବିଗତ ଅନେକ ବର୍ଷ ଧରି ଚାଷୀଙ୍କ ସହ କିଭଳି ଯୋଡ଼ି ହୋଇପାରିଛି ଦର୍ଶାଇଥିଲେ ।

 

12/03/2019

Leave a Reply

Your email address will not be published. Required fields are marked *

Comments