Bikash Khabar
ଶିକ୍ଷାବର୍ଷ ଗଡ଼ିଗଲାଣି ୪ ମାସ,ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଅଭିଭାବକ

 ୨୦୨୦-୨୧ ଶିକ୍ଷାବର୍ଷ କେଉଁ ମାସ ରୁ  ଆରମ୍ଭ ହେବ? ନବାଗତ  ଛାତ୍ରଛାତ୍ରୀଙ୍କ ନାମଲେଖା କେବେ କେମିତି କରାଯିବ? ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟରେ କ୍ଲାସରୁମ୍ପାଠପଢ଼ା ହେବ ନା ନାହିଁ? ଯଦି ସେପ୍ଟେମ୍ବର ମାସରେ ସ୍କୁଲ ଖୋଲେ, ତେବେ କୋମଳମତି ପିଲାମାନେ କେମିତି ଆସିବେ? ନା ଶିକ୍ଷାବର୍ଷ କ୍ୟାଲେଣ୍ଡର ବଦଳିଯିବ? ପ୍ରତିବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେଉଥିବା ନୂତନ ଶିକ୍ଷାବର୍ଷ ଏଣିକି ଅକ୍ଟୋବରରୁ ଆରମ୍ଭ ହେବ କି? ବାର୍ଷିକ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ କି? କରୋନା ମହାମାରୀ କ୍ରମଶଃ ବଢ଼ୁଥିବାବେଳେ ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରତିଦିନ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ଓଡ଼ିଶା ସମେତ ସାରା ଦେଶରେ କୋଭିଡ୍‌-୧୯ ମାମଲା ଦିନକୁ ଦିନ ଉଦ୍ବେଗଜନକ ହେଉଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ସାଧାରଣତଃ ଏପ୍ରିଲ ମାସ ଆରମ୍ଭ ହେଉଥିବା ଶିକ୍ଷାବର୍ଷ ଇତିମଧ୍ୟରେ ୪ମାସ ବିଳମ୍ବ ହେଲାଣି। ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବି ଗଡ଼ିଯାଇଛି। ତଥାପି ଜୁଲାଇ ୧୫ସୁଦ୍ଧାସରକାରୀ ବିଦ୍ୟାଳୟରେ ନାମଲେଖା କରିବାକୁ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।ସେହି ଅନୁଯାୟୀ, ସାରା ରାଜ୍ୟରେ ଏବେ ନାମଲେଖା ଚାଲିଥିଲେ ମଧ୍ୟ ଆଶାନୁରୂପ ହୋଇପାରି ନାହିଁ। କରୋନା କଟକଣା ଭିତରେ ପେଟ ଚିନ୍ତାରେ ଥିବା ଲକ୍ଷାଧିକ ଅଭିଭାବକ ପିଲାଙ୍କ ନାମଲେଖା କଥାକୁ ଯେପରି ସମ୍ପୂର୍ଣ୍ଣ ଭାବେ ପାସୋରି ଦେଇଛନ୍ତି। ପ୍ରତିବର୍ଷ ପାଖାପାଖି ଲକ୍ଷ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଏବେ ସୁଦ୍ଧା୫୦ ପ୍ରତିଶତ ନାମଲେଖା ହୋଇପାରିନି। ଯେଉଁମାନେ ସ୍କୁଲ ପରିବର୍ତନ କରିବାକୁ ଚାହୁଁଥିଲେ, ସେମାନେ ବି ଦ୍ବନ୍ଦ୍ବରେ ପଡ଼ିଛନ୍ତି। କରୋନା ଭୟରେ ଘରୁ ବାହାରି ପାରୁନାହାନ୍ତି। ସେପଟେ ସିବିଏସ୍(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟନ୍ତ ନାମଲେଖା ଆରମ୍ଭ ହୋଇପାରି ନାହିଁ। କିଛି ବିଦ୍ୟାଳୟ ଲୁଚାଛପାରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖା କରାଉଥିଲେ ମଧ୍ୟ ବହୁ ଅଭିଭାବକ, ଛାତ୍ରଛାତ୍ରୀ ଜାଣିପାରୁ ନାହାନ୍ତି। ନାମଲେଖା ନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ଜାରି ହୋଇ ଥିବାରୁ ଲକ୍ଷାଧିକ ଅଭିଭାବକ ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ।

06/07/2020

Leave a Reply

Your email address will not be published. Required fields are marked *

Comments