Bikash Khabar
ସରକାରୀ ପେଂଚ ଯୋଗୁଁ ମିଳୁନି ପଥର, ହାତ ବାନ୍ଧି ବସିଛନ୍ତି ଶିଳ୍ପୀ

ମିଳୁନି ପଥର । ହାତ ବାନ୍ଧି ବସିଛନ୍ତି ପଥର ଶିଳ୍ପୀ । କାରିଗରମାନେ ଶ୍ରମିକ ସାଜି ପ୍ରବାସୀ ହେଉଛନ୍ତି । ପ୍ରଶାସନିକ ପେଂଚ ଯୋଗୁଁ ବିଗତ ୬ ବର୍ଷ ଧରି ରାଜଧାନୀର ସମୀପବର୍ତ୍ତି ଅନେକ ଗ୍ରାମର ଶିଳ୍ପୀମାନଙ୍କ ଏଭଳି ଦୁର୍ଦ୍ଦଶା ସାମ୍ନାକୁ ଆସିଛି ।

ଖୋର୍ଦ୍ଧାବ୍ଲକ ନରଣଗଡ଼ ପଂଚାୟତ ଅନ୍ତର୍ଗତ ହାତପଦା, ଭୋଗପୁରୁ, ବଳପୁରୁ, କୁରୁମପଡ଼ା ଓ ନରଣଗଡ଼ ଗ୍ରାମର ଶତାଧିକ ଶିଳ୍ପୀ ପୂର୍ବରୁ ଯେଉଁ ମୁଣ୍ଡିଆରୁ ପଥର ଆଣୁଥିଲେ ସେଥିରେ କଟକଣା କାରଣରୁ ପଥରଟିଏ ପାଇପାରୁନାହାନ୍ତି । ପଥର ଅଭାବରୁ ମୂର୍ତ୍ତି ଗଢି ଜୀବିକା ପ୍ରତିପୋଷଣ ବାଧାପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ, ଉପରୋକ୍ତ ଗ୍ରାମବାସୀମାନେ ବତ୍ତଳମାଳିଆ ମୁଣ୍ଡିଆରୁ ପଥର ସଂଗ୍ରହ ପୀଢି ପରେ ପୀଢି ଧରି କରୁଥିଲେ । ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୭ ଏକର ୨୦ ଡ଼ିସିମିଲିର ଏହି ମୁଣ୍ଡିଆକୁ ସରକାର ୨୦୧୩ରେ ବର୍ଷେ ପାଇଁ ଉକ୍ରଳିକାକୁ ଲିଜରେ ଦେଇଥିଲେ । ୨୦୧୪ରେ ଅବଧି ସରିବା ପରେ ଏହା ନବୀକରଣ ହୋଇପାରିଲା ନାହିଁ । ଫଳରେ ଉକ୍ରଳିକା ଶିଳ୍ପୀମାନଙ୍କୁ ପଥର ଦେବା ବନ୍ଦ କରିଦେଲା । ଦୀର୍ଘ ବର୍ଷ ଧରି ମୁଣ୍ଡିଆଟି ଟେଣ୍ଡର ହୋଇନାହିଁ । ଏବେ ମୂର୍ତ୍ତି ଗଢିବା ତ ଦୂର କଥା ଚନ୍ଦନ ପେଡ଼ିଟିଏ ପାଇଁ ପଥର ମିଳୁନଥିବା କହିଛନ୍ତି ଜଣେ ଶିଳ୍ପୀ । ଫୁଟକୁ ୧୫୦ ଟଙ୍କା ଦେଇ ଦୂରରୁ ପଥର ଆଣୁଥିବା ଶିଳ୍ପୀମାନେ ଏଥିରୁ ଆଉ ଚଳି ହେବନି ବୋଲି କହିଛନ୍ତି ।

25/02/2019

Leave a Reply

Your email address will not be published. Required fields are marked *

Comments