Bikash Khabar
ସ୍ୱାମୀଙ୍କ ଦୁର୍ଘଟଣା ପରେ ଶିଖିଲେ ଡ଼୍ରାଇଭିଂ, ଏବେ ଗାଡ଼ି ଚଲେଇ ପୋଷୁଛନ୍ତି ପରିବାର

ଜୟପୁରର ବାସିନ୍ଦା ୪୧ ବର୍ଷ ବୟସ୍କା ଗୁଲେଶ ଚୌହାନଙ୍କୁ ଜଣା ନଥିଲା ଯେ ଦିନେ ତାଙ୍କ କାନ୍ଧ ଉପରକୁ ପରିବାର ଭରଣପୋଷଣର ଦାୟିତ୍ୱ ଆସିବ । ସବୁ ମହିଳାଙ୍କ ପରି ସେ ମଧ୍ୟ ସ୍ୱାମୀଙ୍କ ଉପରେ ନିର୍ଭରଶୀଳ ଥିଲେ । ହେଲେ ଏବେ ବଦଳିଯାଇଛି ତାଙ୍କ ଜୀବନ ଚର୍ଯ୍ୟା ସାଙ୍ଗକୁ ଜୀବିକା ।

ଏକ ରାଜପୁତ ପରିବାରରେ ପ୍ରତିପାଳିତ ଗୁଲେଶ ବିଗତ ୪ ବର୍ଷ ଧରି ପ୍ରତିଦିନ ସକାଳ ସାଢେ ୬ରୁ ସନ୍ଧ୍ୟା ସାଢେ ୬ ଯାଏ ଜୟପୁରରେ ଉବେର ସଂସ୍ଥା ପାଇଁ ଗାଡ଼ି ଚଲାନ୍ତି । ନବମ ଶ୍ରେଣୀ ଯାଏ ପଢିଥିବା ଗୁଲେଶଙ୍କର ୧୭ ବର୍ଷ ବୟସରେ ବିବାହ ହୋଇଯାଏ । ବିବାହର ୬ ମାସ ପୂର୍ବରୁ ଆଖି ବୁଜନ୍ତି ତାଙ୍କ ପିତା  । ଘରେ ୪ ଭାଇ ଓ ଭଉଣୀ ଥିବାରୁ ତାଙ୍କ ମା ତାଙ୍କୁ ୧୭ ବର୍ଷ ବୟସରେ ବିବାହ କରାଇଦିଅନ୍ତି । ବୈବାହିକ ଜୀବନ ଠିକ୍ ଠାକ୍ ଚାଲିଥିବାବେଳେ ୨୦୦୩ରେ ଗୁଲେଶଙ୍କ ପତି ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେଲେ । ପରିବାର ଚଳାଇବାର ଭାର ପଡ଼ିଲା ଗୁଲେଶଙ୍କ କାନ୍ଧରେ । ଗୁଲେଶ ଡ଼ିଟିସି ବସରେ ମହିଳା ଡ଼୍ରାଇଭରଙ୍କୁ ନିଯୁକ୍ତି ମିଳୁଥିବା ଶୁଣି ଡ଼୍ରାଇଭିଂ ପ୍ରତି ଆଗ୍ରହ ପ୍ରକାଶ କଲେ । ତାଙ୍କର ଜଣେ ସଂପର୍କିୟ ଗାଡ଼ି ଚାଳନା ଶିଖାଇ ଦେଲେ । ଭାରିଯାନ ଚାଳନାର ଲାଇସେନ୍ସ ସଂଗ୍ରହ କଲେ ଗୁଲେଶ । ତା ପରେ ଆରମ୍ଭ ହେଲା ନୁଆ ଜୀବିକାର ଆହ୍ୱାନ ପୁର୍ଣ୍ଣ ଯାତ୍ରା ।
ଏବେ ଗୁଲେଶ ଉବେର ପାଇଁ ଗାଡ଼ି ଚଲାଇ ମାସକୁ ୧୨ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ପୁରୁଷଙ୍କ ଆଧିପତ୍ୟ ଥିବା ଏହି ବୃତ୍ତିକୁ ସଫଳତାର ସହ ପରିଚାଳନା କରିବାରେ ଗୁଲେଶ ସଫଳ ହୋଇଛନ୍ତି ।

26/03/2019

Leave a Reply

Your email address will not be published. Required fields are marked *

Comments