Bikash Khabar
ମୁଖମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟସ୍ରୋତରେ ସାମିଲ ମାଓବାଦୀ, ନନ୍ଦନକାନନ ବୁଲିଲେ, ହକି ଖେଳ ଦେଖିଲେ

କୋରାପୁଟ ଜିଲ୍ଲା ନାରାୟଣପାଟଣାର ଯୁବକ ସମରା କୁଲେସ୍କା ୨୦୦୮ରେ ମାଓବାଦୀମାନଙ୍କ ସହ ସାମିଲ ହୋଇଥିଲେ । ଏବେ ସେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ମାଓବାଦୀମାନେ ମିଛ ପ୍ରଲୋଭନ ଦେଖାଇ ତାଙ୍କୁ ସାମିଲ କରାଇଥିବା କହନ୍ତି ସମରା । ସମରାଙ୍କ ପରି ୩୦ ଜଣ ଯୁବକ ଯୁବତୀ ମାଓବାଦୀଙ୍କ ଠାରୁ ହାତ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଏମାନେ ଗୁରୁବାର ନନ୍ଦନକାନନ ବୁଲିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ବସି ହକି ଖେଳ ଦେଖିଛନ୍ତି । ଶୁକ୍ରବାର ପୁରୀ ଓ କୋଣାର୍କ ବୁଲିବାକୁ ଯାଇଛନ୍ତି ।

ବଣ ଜଙ୍ଗଲରେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ଶକ୍ତି ବିସ୍ତାର କରାଉଥିବା ତୁଳସୀ, ସମରା, ମୁକେଶ ଓ ଦିନେଶଙ୍କ ଭଳି ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହୋଇ ପ୍ରଶାସନର ସହଯୋଗ କ୍ରମେ ଭୁବନେଶ୍ୱର ଆସିଥିବା କହିଛନ୍ତି । ରାଜଧାନୀ ବୁଲି ସାରିବା ପରେ ସେମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟ ପୁଲିସ ସେମାନଙ୍କୁ ଭୁବନେଶ୍ୱର ଅଣାଇଥିବା ଜଣାଯାଇଛି । ମାଲକାନାଗିରିରୁ ୨୦, କୋରାପୁଟରୁ ୧୦ ଏଭଳି ମୋଟ ୩୦ ଜଣିଆ । ଏହି ଦଳରେ ୧୬ ଜଣ ମହିଳା ଓ ୧୪ଜଣ ପୁରୁଷ ଅଛନ୍ତି । ସେମାନେ ସମସ୍ତେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟିରେ ସଦସ୍ୟ ଥିଲେ । ଦିନେ ସେମାନଙ୍କ ମୁଣ୍ଡ ଉପରେ ୧ଲକ୍ଷ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ରାଶି ଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ହକି ଖେଳ ଦେଖିବା ପରେ ଅନୁଭବ ହୋଇଛି ଯେ ଆମେ ସତରେ ମୁଖ୍ୟସ୍ରୋତକୁ ଫେରିଛୁ । 
 

14/12/2018

Leave a Reply

Your email address will not be published. Required fields are marked *

Comments