Bikash Khabar
କାର୍ଡ଼ଧାରୀ ରୋଗୀମାନଙ୍କର ସହାୟତା ପାଇଁ ଆରମ୍ଭ ହେବ ସ୍ୱାସ୍ଥ୍ୟମିତ୍ର ସେବା

ରାଜ୍ୟରେ ପ୍ରଚଳନ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ୭୦ ଲକ୍ଷ ପରିବାର ସାମିଲ ହୋଇଛନ୍ତି । ଏହି ପରିବାରମାନେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କାର୍ଡ଼ ମାଧ୍ୟମରେ ବିନା ନଗଦରେ ଚିକିତ୍ସା ପାଇପାରିବା ଭଳି ବ୍ୟବସ୍ଥା ରହିଛି । ଏଥିରୁ ଲକ୍ଷ ଲକ୍ଷ ରୋଗୀ ଉପକୃତ ପାଉଥିବା ସରକାର ଦାବି କରିଛନ୍ତି । ଘରୋଇ ହସ୍ପିଟାଲ ମାନଙ୍କରେ କାର୍ଡ଼ଧାରୀ ରୋଗୀମାନଙ୍କର ସହାୟତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସ୍ୱାସ୍ଥ୍ୟମିତ୍ର ସେବାର ଆରମ୍ଭ କରିବା ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନା ସମିତିର ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଭିତରେ ଏବେ ୨ଶହ ଘରୋଇ ହସ୍ପିଟାଲ ଓ ରାଜ୍ୟ ବାହାରର ୨୦ଟି ବଡ଼ ବଡ଼ ହସ୍ପିଟାଲ ଚେନର ସୁପର ସ୍ପେସାଲି ହସ୍ପିଟାଲକୁ ତାଲିକା ଭୁକ୍ତ କରାଯାଇଛି । ଏହି ହସ୍ପିଟାଲରେ ରୋଗୀମାନଙ୍କୁ ସହାୟତା ପାଇଁ ସ୍ୱାସ୍ଥ୍ୟମିତ୍ର ସେବା ଖୁବ ଶିଘ୍ର ଆରମ୍ଭ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ପ୍ରାଥମିକ ଗୋଷ୍ଟୀ ଏପରିକି ଉପଖଣ୍ଡ ସ୍ତରୀୟ ଡ଼ାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ଓ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ଦୈନିକ ଶହ ଶହ ରୋଗୀ ଫେରି ଆସୁଥିବା ଦେଖିବାକୁ ମିଳୁଛି । ଡ଼ାକ୍ତର, ବିଶେଷଜ୍ଞ ଓ ଟେକନିସିଆନ ନିଯୁକ୍ତି ନହେଲେ ରାଜ୍ୟବାସୀ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ କୁହାଯାଉଥିବା ଲାଭ କେବେବି ପାଇବେ ନାହିଁ ।

20/02/2019

Leave a Reply

Your email address will not be published. Required fields are marked *

Comments