Bikash Khabar
ପ୍ରବାସୀ ଶ୍ରମିକଙ୍କୁ ରେଳ ବିଭାଗ ଦେବ କାମ

 ମହାମାରୀ କରୋନା ଦ୍ବାରା ପ୍ରଭାବିତ ହୋଇ ଘରକୁ ଫେରିଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଦେଶବ୍ୟାପୀ ରେଳ ବିଭାଗଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପରେ ଉକ୍ତ ଶ୍ରମିକମାନଙ୍କୁ କିପରି ନିୟୋଜିତ କରାଯାଇପାରିବ ସେ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି। ଦକ୍ଷିଣପୂର୍ବ ରେଳବିଭାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଦେଶର ୧୧୬ଟି ଜିଲ୍ଲାକୁ ଚୟନ କରାଯାଇଛି। ସେଥିରେ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଗଞ୍ଜାମ ବଲାଙ୍ଗୀର ଜିଲ୍ଲାକୁ ସାମିଲ କରାଯାଇଛି। ବାହାର ରାଜ୍ୟରେ ରହି କାମ କରୁଥିବା ଏହି ଜିଲ୍ଲାର ଲକ୍ଷାଧିକ ଶ୍ରମିକ କରୋନା ଯୋଗୁଁ ରୋଜଗାର ହରାଇ ନିକଟରେ ଘରକୁ ଫେରିଛନ୍ତି। କାମଧନ୍ଦା କିଛି ନଥିବାରୁ ବହୁ ଶ୍ରମଜୀବୀ ଦୁର୍ଦ୍ଦିନରେ ଚଳୁଛନ୍ତି। ସେମାନଙ୍କର ତାଲିକା ସଂଗ୍ରହ ସହିତ କୁଶଳୀ, ଅଣକୁଶଳୀ ବର୍ଗ ଚିହ୍ନଟ ପାଇଁ ସଂପୃକ୍ତ ଜିଲ୍ଲା ପ୍ରଶାସନ ସହ ରେଳ ବିଭାଗ ଚିଠି ଲେଖିଛି। କିଏ କେଉଁ ପ୍ରକାର କାମକରିପାରିବ, ରେଳ ବିଭାଗର କେଉଁ ଅଞ୍ଚଳରେ କଣ ପ୍ରକଳ୍ପ କାମ ଚାଲିଛି ସେ ସଂକ୍ରାନ୍ତରେ ସଂପୃକ୍ତ ରାଜ୍ୟ ସରକାର, ରେଳ ବିଭାଗ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଚୂଡାନ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଡିଆରଏମ୍ମାନେ ନିଜ ଏଜେନ୍ସି ଦ୍ବାରା ସମ୍ପୃକ୍ତ ଜିଲ୍ଲାମାନଙ୍କରେ କାମ ଆଶାରେ ଥିବା ଶ୍ରମିକଙ୍କୁ ନେଇ ରିପୋର୍ଟ ପ୍ରସ୍ତୁତ କରିବେ। ପରେ ସେମାନଙ୍କୁବିଭାଗ ଦ୍ବାରା ବିଭିନ୍ନ କାମରେ ନିୟୋଜିତ କରାଯିବ ବୋଲି ଖଡ଼ଗପୁରସ୍ଥିତ ଦକ୍ଷିଣପୂର୍ବ ରେଳପଥର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

16/06/2020

Leave a Reply

Your email address will not be published. Required fields are marked *

Comments