ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ହେଲା ଶିକ୍ଷା ମନ୍ତ୍ରଣାଳୟ,ମଂଜୁର ପାଇଲା ନୁଆଁ ଶିକ୍ଷାନୀତି
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟ କରିଦିଆଯାଇଛି। ଏହି ନିଷ୍ପତ୍ତି ମୋଦିଙ୍କ କ୍ୟାବିନେଟ୍ ବୈଠକ ସମୟରେ ନିଆଯାଇଥିଲା। ଏହି ବୈଠକ ସମୟରେ ମୋଦି ସରକାର ନୂଆ ଶିକ୍ଷା ନୀତିକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ବିସୃତ ଭାବରେ ସୂଚନା ସରକାରଙ୍କ ପକ୍ଷରୁ ସନ୍ଧୃା୪ଟା ବେଳେ ହୋଇଥିବା କ୍ୟାବିନେଟ୍ ବ୍ରିଫିଙ୍ଗରେ ଦିଆଯାଇଛି। ଉଲ୍ଲେଖନୀୟ ଯେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା ଯେ, ମନ୍ତ୍ରଣାଳୟର ବର୍ତ୍ତମାନର ନାଁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରିଦିଆଯିବ। ଏହି ପ୍ରସ୍ତାବ ଉପରେ ମୋଦି କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏହା ସହିତ ନୂଆ ଶିକ୍ଷା ନୀତିକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ଏବେ ସମ୍ପୂର୍ଣ୍ଣ ଉଚ୍ଚ ଶିକ୍ଷା କ୍ଷେତ୍ର ପାଇଁ ଗୋଟିଏ ରେଗୁଲେଟରୀ ବୋର୍ଡ ରହିବ, ଯାହାଫଳରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥାକୁ ଶେଷ କରିହେବ। ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ପାଇଁ ଏକ ରେଗୁଲେଟରି ବୋର୍ଡ ନ୍ୟାସନାଲ ଏଜୁକେସନ୍ ରେଗୁଲେଟରୀ ଅଥରିଟି(ଏନଏଚଇଆରଏ) କିମ୍ବା ହାୟର ଏଜୁକେସନ୍ ଅଫ୍ ଇଣ୍ଡିଆ' ସ୍ଥିର କରିଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ ୧୯୮୬ରେ କରାଯାଇଥିଲା ଓ ୧୯୯୨ରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା। ତିନି ଦଶକ ପରେ ମଧ୍ୟ ବଡ ଧରଣର ପରିବର୍ତ୍ତନ କରାଯାଇନଥିଲା। କେନ୍ଦ୍ରସରକାରଙ୍କ ମତରେ ଶିକ୍ଷା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଖୁବ୍ ଦରକାର, ଯାହାଫଳରେ ଭାରତ ବିଶ୍ବରେ ଜ୍ଞାନର ସୁପରପାଓ୍ବାର ହୋଇପାରିବ। ଏଥିପାଇଁ ସମସ୍ତଙ୍କୁ ଉପଯୁକ୍ତମାନର ଶିକ୍ଷା ଦିଆଯିବା ଦରକାର, ଯାହାଫଳରେ ପ୍ରଗତିଶୀଳ ସମାଜ ଗଠନ କରିହେବ। ଏହି ଫ୍ରେମଓ୍ବାର୍କରେ ଅଲଗା ଅଲଗା ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀରେ କୌଶଳ, କୋର୍ସରେ ଖେଳ, କଳା ଓ ବାତାବରଣ ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ଦିଆଯିବ।
29/07/2020