Bikash Khabar
ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବେ ଡାକ୍ତର-ହାଇକୋର୍ଟ

ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଜଣେ ମାରାତ୍ମକ ପରିଣତି ଭୋଗ କରିବାର ଆଶଙ୍କା ରହିଥିବା ପ୍ରସଂଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଡାକ୍ତର ମାନଙ୍କୁ ସ୍ପଷ୍ଟ ଅକ୍ଷର ରେ ଔଷଧ ଚିଠା ଲେଖିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ରଖିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ରାୟରେ ଉଲ୍ଲେଖ କରାଯାଇଛି ଯେ, ଡାକ୍ତରଙ୍କ ପ୍ରେସକ୍ରିପସନ୍, ଓପିଡି ସ୍ଲିପ୍, ପୋଷ୍ଟମର୍ଟମ୍ ରିପୋର୍ଟ, ଇଞ୍ଜୁରି ରିପୋର୍ଟ ଇତ୍ୟାଦିର ଲେଖା ସ୍ପଷ୍ଟ ହେବା ସହିତ ବୋଧଗମ୍ୟ ହେବା ଆବଶ୍ୟକ। ଗୋଟିଏ ମେଡିକାଲ ରିପୋର୍ଟରେ କୌଣସି ଦ୍ବନ୍ଦ୍ବ ବା ତାହାର ଅର୍ଥ ଖୋଜିବା ଭଳି ସ୍ଥିତି ରହିବା ଅନୁଚିତ। ଡାକ୍ତରୀ ପେସା ପାଇଁ ଯଥେଷ୍ଟ ସମ୍ମାନ ରହିଛି କୋଭିଡ-୧୯ ସ୍ଥିତିରେ ଡାକ୍ତରଙ୍କ ସେବା କାର୍ଯ୍ୟ ପ୍ରଶଂସନୀୟ। ଡାକ୍ତରଙ୍କ ତ୍ୟାଗ ମେଡିକାଲ ପେସାକୁ ସାରାଦେଶ ପ୍ରଣାମ କରୁଛି। କିନ୍ତୁ ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଚିକିତ୍ସାରେ ବିଳମ୍ବ ହୋଇ ପାରେ। ଅଯଥା ଟେଷ୍ଟ ପାଇଁ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାର ମାରାତ୍ମକ ପରିଣତି ହୁଏତ କାହାକୁ ଭୋଗ କରିବାକୁ ପଡିପାରେ। ଅନେକ ସମୟରେ ପ୍ରେସକ୍ରିପସନରେ ଲେଖା ଯାଇଥିବା କଥାର ଅର୍ଥ ବୁଝିବାରେ ଫାର୍ମାସିଷ୍ଟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

13/08/2020

Leave a Reply

Your email address will not be published. Required fields are marked *

Comments