Bikash Khabar
ତାଲାବନ୍ଦରେ ଫସିଥିବା ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବେ ମଠ, ମନ୍ଦିର

 ତାଲାବନ୍ଦ ଯୋଗୁଁ ଏଠାରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକଙ୍କର ଅନେକ ସମସ୍ୟା ପଦାକୁ ଆସୁଛି। କିଏ ଖାଇବାକୁ ପାଇ ଚାଲିଚାଲି ଫେରିଯାଉଛି କେହି ଫେରିଲା ବେଳେ ଖାଇବାକୁ ପାଉ ନାହିଁ। ଏଭଳି ଶ୍ରମିକଙ୍କୁ ରାସ୍ତାମଝିରେ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛି ଦେବୋତ୍ତର ବିଭାଗ। ଏହି ମର୍ମରେ ଆଜି ଦେବୋତ୍ତର କମିସନର ନିଜ ବଭାଗ ଅଧୀନରେ ଥିବା ସମସ୍ତ ମଠ ମନ୍ଦିରର ଟ୍ରଷ୍ଟ ବୋର୍ଡକୁ ଚିଠି ଲେଖିଛନ୍ତି। ସ୍ଥାନୀୟ ପ୍ରଶାସନ ସହ ହାତ ମିଳାଇ ଆବଶ୍ୟକ ମୁତାବକ ଖାଦ୍ୟ ପ୍ୟାକେଟ୍ଯୋଗାଇବାକୁ ଟ୍ରଷ୍ଟିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୦ ଟ୍ରଷ୍ଟ ବୋର୍ଡକୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ଆଜି ୪୦ଟି ବୋର୍ଡକୁ ଚିଠି ଯାଇଛି। ଆସନ୍ତାକାଲି ଠାରୁ ଖାଦ୍ୟ ବଣ୍ଟନ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ବାହାର ରାଜ୍ୟ ଜିଲ୍ଲାରୁ ଶ୍ରମିକମାନେ ଆସି ଓଡ଼ିଶାର ବିଭିନ୍ନ ଜାଗାରେ କାମ କରୁଥିଲେ। ଏବେ କୋଭିଡ୍‌-୧୯ ପାଇଁ କାମ ହେଉ ଥିବା ବେଳେ ଯାହା ପଇସା ଥିଲା ତାହା ମଧ୍ୟ ସରିଯାଇଛି। ଏଣୁ ସେମାନେ ନିଜ ନିଜ ଘରକୁ ଫେରି ଯାଉଛନ୍ତି। କେତେକ ସାଇକେଲ ଯୋଗେ ଫେରି ଯାଉଥିବା ବେଳେ କେତେକ ଚାଲି ଚାଲି ଯାଉଥିବା ମଧ୍ୟ ନଜିର ରହିଛି। ରାସ୍ତା ମଝିରେ ସେମାନଙ୍କୁ ଖାଦ୍ୟ ମିଳିବା ସମ୍ଭବ ହେଉ ନାହିଁ। ଏଭଳି ବିଭିନ୍ନ ଘଟଣା ପଦାକୁ ଆସିବା ପରେ ଦେବୋତ୍ତର କମିସନର ଟ୍ରଷ୍ଟ ବୋର୍ଡମାନଙ୍କ ସହ ଆଲୋଚନା କରିଥିଲେ। କେଉଁଝର ରାୟଗଡ଼ାରେ ସର୍ବାଧିକ ଶ୍ରମିକଶ୍ରେଣୀର ଲୋକ ଯାତାୟାତ କରୁଥିବା ଦେଖାଯାଇଛି। ଏଣୁ ଘଟଗାଁ ତାରିଣୀ ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ୧୫୦୦ ଲେଖାଏଁ ଖାଦ୍ୟ ପ୍ୟାକେଟ୍ବାଣ୍ଟିବା ପାଇଁ ସ୍ଥିର ହୋଇଛି। ପ୍ରଥମେ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ପରେ ଏହାକୁ ଭାତ, ଡାଲ୍ମା, ତରକାରୀ ଖଟାକୁ ପରିବର୍ତ୍ତନ କରାଯାଇଛି। ମନ୍ଦିରମାନଙ୍କରେ ଯେହେତୁ ପ୍ରସାଦ ପ୍ରସ୍ତୁତ କରିବାକୁ ଭିତ୍ତିଭୂମି ରହିଛି ସେମାନେ ଏହାକୁ ସହଜରେ କରିପାରିବେ। ଏନେଇ ସମ୍ପୃକ୍ତ ଉପଜିଲ୍ଲାପାଳଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ଟ୍ରଷ୍ଟବୋର୍ଡ ଖାଦ୍ୟ ପ୍ରସ୍ତୁତ କରି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚାଇଲେ ପ୍ରଶାସନ ପକ୍ଷରୁ ଏଗୁଡ଼ିକୁ ବଣ୍ଟନ କରାଯିବ।

15/05/2020

Leave a Reply

Your email address will not be published. Required fields are marked *

Comments