Bikash Khabar
ପଶ୍ଚିମ ଜଳୁଛି, ରାଜଧାନୀ ଥଣ୍ଡା

ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଛି। ୧୪ଟି ସହରର ତାପମାତ୍ରା ୪୦ ଟପିଗଲାଣି। କିଛି ସ୍ଥାନରେ ହିଟ୍ୱେଭ୍ୱାର୍ଣ୍ଣିଂ ବା ଅଂଶୁଘାତ ସତର୍କତା ଜାରି ହୋଇଛି। କିନ୍ତୁ ରାଜଧାନୀ ଏହି ହିଟ୍ୱେଭ୍ପ୍ରକୋପରୁ ବର୍ତ୍ତି ଯାଇଛି। ସକାଳୁ ସକାଳୁ ମେଘୁଆ ପାଗ ସହ ଥଣ୍ଡା ଥଣ୍ଡା ପବନ ଲୋକଙ୍କୁ ଆଶ୍ବସ୍ତି ଦେଉଛି। ଦିନତମାମ୍ବି ଅସହ୍ୟ ଗରମ ନାହିଁ। ଏଥିସହିତ ସନ୍ଧ୍ୟାରେ ବହୁଥିବା ଦକ୍ଷିଣା ଥଣ୍ଡା ପବନ ରାଜଧାନୀର ପରିବେଶକୁ ଆହୁରି ମନଲୋଭା କରୁଛି। ଗତ ୧୦ ବର୍ଷ ହେଲା ମେମାସର ତୃତୀୟ ଚତୁର୍ଥ ସପ୍ତାହରେ ରାଜଧାନୀରେ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେଉଥିଲା। କିନ୍ତୁ ଚଳିତ ବର୍ଷ ମେ୧୯ ଠାରୁ ରାଜଧାନୀର ତାପମାତ୍ରା କମ୍ ରହିଛି। ଗତ ତିନି ଦିନ ହେଲା ସହରର ତାପମାତ୍ରା ପ୍ରାୟ ୩୪ ଡିଗ୍ରି ରହୁଛି। ସାଧାରଣତଃ ଜୁନ୍ମାସରେ ରାଜ୍ୟରେପ୍ରାକ୍ମୌସୁମି ବର୍ଷା ଯୋଗୁଁ ତାପମାତ୍ରା କମ୍ଅନୁଭୂତ ହୁଏ। କିନ୍ତୁ ଏବେ ପ୍ରାକ୍ମୌସୁମି ବର୍ଷା ଥିଲେ ବି ରାଜଧାନୀରେ ତାତି କମ୍ରହିଛି। ବେଳେବେଳେ ପବନର ବେଗ ୩୦ କିମିରୁ ଅଧିକ ରହୁଥିବାରୁ ତାତି ପ୍ରକୋପ କମି ଯାଇଛି। ରାଜଧାନୀର ଏହି ପାଗ ଲୋକଙ୍କୁ ବେଶ୍ସୁହାଉଛି। କରୋନା କଟକଣା ପାଇଁ ପାର୍କ ବନ୍ଦ ଥିବାରୁ ମର୍ଣ୍ଣିଂୱାକ୍ ଅପରାହ୍ଣରେ ଟିକେ ଅବସର ସମୟ କାଟିବାକୁ ଲୋକ ହଇରାଣ ହେଉଥିଲେ। କିନ୍ତୁ ତିନି ଦିନ ହେଲା ପାର୍କ ଖୋଲିଛି। ଲୋକେ ପାର୍କ ବୁଲିବାକୁ ବାହାରିଛନ୍ତି। ଏତିକିବେଳେ ଥଣ୍ଡା ପବନ ବହୁଥିବାରୁ ଲୋକମାନେ ବେଶ୍ ଆଶ୍ବସ୍ତ ହୋଇଛନ୍ତି। ଏକ ଦଶନ୍ଧି ପୂର୍ବରୁ ସନ୍ଧ୍ୟାରେ ସହରବାସୀ ଏମିତି ଥଣ୍ଡା ପବନର ମଜା ଅନୁଭବ କରୁଥିଲେ ବୋଲି ବହୁ ଲୋକ କହିଛନ୍ତି। ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଥିଲେ ବି ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ତାପମାତ୍ରା କମ୍ରହିଛି। ଏହାର କାରଣ ହେଉଛି ବାୟୁମଣ୍ଡଳୀୟ ଚାପରେ ଦେଖା ଯାଉଥିବା ତାରତମ୍ୟ। ବଙ୍ଗୋପସାଗର ସ୍ଥଳ ଭାଗ ବା ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ମିଲିବାର ରହୁଛି। ଏହାର ପ୍ରଭାବରେ ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ଦିନରେ ପାଗ ମେଘୁଆ ରହିବା ସହ ପବନ ବହୁଛି। ରାତି ବେଳକୁ ଏହି ଚାପର ତାରତମ୍ୟ ଆହୁରି ବଢ଼ିଯାଉଛି। ଫଳରେ ସଂଧ୍ୟାରୁ ପବନର ବେଗ ବଢ଼ିଯାଉଛି ୩୦ରୁ ୩୨ କିମି ବେଗରେ ପବନ ବହୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ସହ ସାମୁଦ୍ରିକ ବାତ୍ୟା ଅମ୍ଫାନର କୌଣସି ସମ୍ପର୍କ ନାହିଁ। ଏବେ ଓଡ଼ିଶା ଉପରେ ବାୟୁମଣ୍ଡଳୀୟ ଚାପ ୧୦୦୬ ମିଲିବାର ରହିଛି। ବିହାର ଝାଡ଼ଖଣ୍ଡରେ ଏହି ଚାପ ୯୯୮ ମିଲିବାର ରହିଛି। ତେଣୁ ବିହାର ଝାଡ଼ଖଣ୍ଡଠାରୁ ଓଡ଼ିଶା ଉପକୂଳରେ କମ୍ ଗରମ ପାଗ ରହିଛି।

28/05/2020

Leave a Reply

Your email address will not be published. Required fields are marked *

Comments