Bikash Khabar
ଆଜି ଇଞ୍ଜିନିୟର ଦିବସ, ଯନ୍ତ୍ରୀ ଗୌରବ ଡ଼. ବିଶ୍ୱେଶ୍ୱରାୟଙ୍କୁ ମନେପକାଉଛି ଦେଶ

ଆମେ ଯେଉଁ ବିକାଶଶୀଳ ଦେଶର ଚିତ୍ର ଦେଖୁଛୁ ଏହା ପଛରେ ରହିଛି ଅନେକ ମହାମନିଷୀଙ୍କ ସାଧନା ଆଉ ତ୍ୟାଗ । ସେପରି ଜଣେ ସୃଜନଶୀଳ ପ୍ରତିଭା ଥିଲେ ଡ଼. ବିଶ୍ୱେଶ୍ୱରାୟ । ସେପ୍ଟେମ୍ବର ୧୫ରେ ଜନ୍ମିତ ଏହି ଡ଼ିପ୍ଲୋମା ଇଞ୍ଜିନିୟରଙ୍କ ଦୂରଦୃଷ୍ଟିକୁ ଦେଶ ମନେପକାଇ ତାଙ୍କ ଜନ୍ମ ତିଥିକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରୁଛି ।
ପୁନାର ବିଜ୍ଞାନ କଲେଜରେ ଲାଇନେସିଏଟ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଯୋଗ ଦେଇ ସେ ୧୮୮୪ରେ ସମଗ୍ର ବମ୍ବେ ବିଶ୍ୱବିଦ୍ୟାଳୟରେ ସିଭିଲ ଡ଼ିପ୍ଲୋମା ଇଞ୍ଜିନିୟରିଂରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ । ବମ୍ବେ ପୁର୍ତ୍ତ ବିଭାଗର ଇଞ୍ଜିନିୟର ଭାବେ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଗୁଜରାଟ, ସୁରଟ ସହରର ଜଳଯୋଗାଣ ବ୍ୟବସ୍ଥା, ଗୋଆଲିୟର ଡ଼ିଗ୍ରୀବନ୍ଧ, ମହୀଶୂରର କ୍ରିଷ୍ଣାରାଜ ସାଗର ବନ୍ଧ ଯୋଜନା, କୋହ୍ଲାପୁରର ଜଳଯୋଗାଣ ଯୋଜନାକୁ ସଫଳତାର ସ୍ପର୍ଶ ଦେଇଥିଲେ । ୧୯୦୮ରେ ଦକ୍ଷିଣ ୟେମେନର ଏଡ଼େନ ବନ୍ଦର ପାଇଁ ପ୍ଲାନ ଦେଇ ସେ ବ୍ରିଟିଶ ସରକାରଙ୍କ ଠାରୁ ପ୍ରଶଂସିତ ହୋଇଥିଲେ । ମହୀଶୂରରେ ଦେବାନ ଥିବାବେଳେ ସେ ଏକ ବିଶ୍ୱବିଦ୍ୟାଳୟ ଯାନ୍ତ୍ରିକ ମହାବିଦ୍ୟାଳୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟ ଆଦି ନିର୍ମାଣ କରାଇଥିଲେ । 
ଡଃ ବିଶ୍ୱେଶ୍ୱରାୟଙ୍କ ଯୋଗଦାନକୁ ଏ ଜାତି ଚିର ଦିନ ମନେ ରଖିବ । ଏକ ସାଧାରଣ ଗରିବ ପରିବାରରୁ ଜନ୍ମ ହୋଇ ଜାତି ପାଇଁ ଏତେ ଗୁଡ଼ିଏ କାମ କରିବା ପଛରେ ଯେଉଁ ସଂଘର୍ଷ ତାର ପଟାନ୍ତର ନାହିଁ ବୋଲି ତାଙ୍କର ପୁଣ୍ୟ ତିଥିରେ ମତ ପ୍ରକାଶ ପାଇଛି । 
 

15/09/2018

Leave a Reply

Your email address will not be published. Required fields are marked *

Comments