Bikash Khabar
ଆଜି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ପଛରେ ପଡ଼ିଛନ୍ତି ଆଦିବାସୀ ମହିଳା

ଆଜି ସାରା ବିଶ୍ୱରେ ଅନ୍ୟ ଆନ୍ତର୍ଜାତୀୟ ଦିବସ ତୁଳନାରେ ଖୁବ ବେଶି ଉତ୍ସାହର ସହ ପାଳନ କରାଯାଉଛି ଆନ୍ତର୍ଜାତୀୟ ମହିଳା ଦିବସ । କିନ୍ତୁ ଆମର ରାଜ୍ୟର ବିପଦସଙ୍କୁଳ ଜନଜାତି ଓ ଅନ୍ୟାନ୍ୟ ଆଦିବାସୀ ମହିଳାମାନଙ୍କ ସ୍ଥିତି ଦେଖିଲେ ଏଭଳି ଏକ ଦିବସ ଯେ ଏମାନଙ୍କ ପାଇଁ ମୂଲ୍ୟହୀନ ଯେ କେହି କହିବ । ଓଡ଼ିଶାରେ ୬୨ ପ୍ରକାରର ୮.୧୫ କୋଟି ଜନଜାତି ବାସ କରନ୍ତି । ରାଜ୍ୟ ଜନସଂଖ୍ୟାର ୨୨.୩ ପ୍ରତିଶତରୁ ଅଧିକ ଥିବା ଆଦିବାସୀ ଅଂଚଳରେ ଶିକ୍ଷା ଓ ସଚେତନତାର ଘୋର ଅଭାବ ସେମାନଙ୍କ ସ୍ଥିତିକୁ ସଂଗୀନ କରିପକାଇଛି । ହାରାହାରି ୧୯ ବର୍ଷ ବୟସରେ ଆଦିବାସୀ ରମଣୀ ସନ୍ତାନର ଜନନୀ ହେଉଥିବାବେଳେ ୩୭ ପ୍ରତିଶତଙ୍କ ୪ରୁ ଅଧିକ ସନ୍ତାନ ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଏବେ ବି ଆନୁଷ୍ଠାନିକ ପ୍ରସବ ପ୍ରତି ବିମୁଖ । କମ୍ ବୟସରେ ବିବାହ କରିବା ଓ ବାରମ୍ବାର ଗର୍ଭଧାରଣ କରିବା କାରଣରୁ ୯୫ ପ୍ରତିଶତ ପୁଷ୍ଟିହୀନତାର ଶିକାର ହୋଇଥିବା ଜଣାଯାଇଛି ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବହୁଳ ଭାବେ ବସତି ସ୍ଥାପନା କରି ରହିଆସୁଥିବା ଆଦିବାସୀ ଗାଁ ମାନଙ୍କରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନାହିଁ । ରୋଗୀଙ୍କୁ ଭାରରେ ବୁହା ହୋଇ ଡ଼ାକ୍ତରଖାନାକୁ ନିଆଯାଉଥିବାର ଯେତେ ଚିତ୍ର ଗଣମାଧ୍ୟମ ଦେଖାଇଛି ସେଥିରୁ ୯୦ ପ୍ରତିଶତ ଆଦିବାସୀ ଓ ମହିଳା ରୋଗୀମାନଙ୍କର ହୋଇଥିବା କୁହାଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନକରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସରକାର ଆଦିବାସୀଙ୍କ ବିକାଶ ସହିତ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ଉଠିଛି ।

08/03/2019

Leave a Reply

Your email address will not be published. Required fields are marked *

Comments