Bikash Khabar
ତୃଷାର୍ତ୍ତ ଗ୍ରାମବାସୀଙ୍କୁ ଶୁଦ୍ଧପେୟ ଜଳ ଯୋଗାଇଲା ଉତ୍ତମ ମଲ୍ଲିକ ସେବା ଟ୍ରଷ୍ଟ

ମାଲକାନାଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପଂଚାୟତର ସାଲିମରିକୋଣ୍ଡା ଗ୍ରାମ । ଗ୍ରାମରେ ରହନ୍ତି ୧୭୦ ପରିବାରର ପାଖାପାଖି ୧୫୦୦ ଲୋକ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ପିଇବା ପାଇଁ ମୁନ୍ଦାଏ ଶୁଦ୍ଧ ଜଳ ପାଇଁ ଗ୍ରାମବାସୀ ସଂଘର୍ଷ କରୁଥିବାବେଳେ ପ୍ରଶାସନ ଅଚଳ ହୋଇଥିବା ୪ଟି ନଳକୂପ ସଜାଡ଼ିବା ପାଇଁ ମଧ୍ୟ ଦାୟିତ୍ୱ ନିଅନ୍ତି ନାହିଁ । ପ୍ରଦୂଷିତ ଜଳ ପିଇ ଗାଁର କେତେକ କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ସହଯୋଗର ହାତ ବଢାଇ ଦେଇଛି ଉତ୍ତମ ମଲ୍ଲିକ ସେବା ଟ୍ରଷ୍ଟ । 
ଟ୍ରଷ୍ଟ ପକ୍ଷରୁ ୭ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚରେ ଗ୍ରାମ ପାଇଁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଛି । ଲୋକାର୍ପଣ ଉତ୍ସବରେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ବଙ୍ଗାଳି ସମାଜ ସଭାପତି ଗୌରାଙ୍ଗ କର୍ମକାର, କାଙ୍ଗୁର କୋଣ୍ଡା ସରପଂଚ ଗଙ୍ଗା ସୋଡ଼ି, ଜିଲ୍ଲା  ବିଜେପି ସମ୍ପାଦକ ସଞ୍ଜୟ ସରକାର, ବିଜେପି ଯୁବ ମୋର୍ଚ୍ଚା ସଭାପତି ମାଣିକ ଲାଲ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ଉତ୍ତମ ମଲ୍ଲିକଙ୍କ ଅନୁଦାନ ଓ ଅବଦାନ ଅତୁଳନୀୟ ବୋଲି ସୂଚାଇଥିଲେ । ଉତ୍ତମ ମଲ୍ଲିକ ଅଦ୍ୟାବଧି ଜିଲ୍ଲାର ଜଳକ୍ଲିଷ୍ଟ ଅଂଚଳରେ ଏଭଳି ୪ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିସାରିଥିବାବେଳେ ଆଉ ୮ଟି ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା  ଜଣାଯାଇଛି ।
ସାଲିମରିକୋଣ୍ଡା ଗ୍ରାମର ୧୭୦ ପରିବାରର ୧୫୦୦ ଲୋକେ ଏବେ ନିଜ ଘର ନିକଟରୁ ଶୁଦ୍ଧ ପିଇବା ପାଣି ପାଇ ଟ୍ରଷ୍ଟର ଭୂୟସୀ ପ୍ରଶଂସା କରିଛନ୍ତି । ଜଳକ୍ଲିଷ୍ଟ ଥିବା ଜିଲ୍ଲାର ଏଭଳି ଅନେକ ଗାଁ ପ୍ରତି ସରକାର ଆଖି ବୁଜି ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । 
 

22/10/2018

Leave a Reply

Your email address will not be published. Required fields are marked *

Comments