Bikash Khabar
ନିଷ୍ଠୁର ହେଲା ଦଇବ, ଶୁଣିଲାନି ପ୍ରଶାସନ : ୪ ଅସହାୟ ଶିଶୁଙ୍କୁ ପାଳୁଛନ୍ତି ସାହି ବାସିନ୍ଦା

କୋରାପୁଟ ଜିଲ୍ଲା ଜୟପୁର ଏନଏସି ୧୭ ନମ୍ବର ୱାର୍ଡ଼ କୁମ୍ଭାର ସାହିରେ ରହୁଥିଲେ ୪୦ ବର୍ଷ ବୟସ୍କ ଲିଙ୍ଗରାଜ ଅଡ଼ାରୀ ପତ୍ନୀ ୩୮ ବର୍ଷ ବୟସ୍କା ଟଭା ଅଡ଼ାରୀ ଓ ସେମାନଙ୍କର ୪ ଶିଶୁ । ବଡ଼ ପୁଅ ସୁରେଶର ବୟସ ୧୩ ହୋଇଥିବାବେଳେ ଲବଲି (୧୦) , ବିକାଶ (୩) ଓ ସ୍ୱାତୀ (୨)ଙ୍କୁ ନେଇ ଅଡ଼ାରୀ ଦମ୍ପତ୍ତି ଦୁଃଖେ କଷ୍ଟେ ମୁଲ ମଜୁରୀ କରି ଚଳୁଥିଲେ । ହେଲେ ହଠାତ ତାଙ୍କ ପରିବାରକୁ ମାଡ଼ି ପଡ଼ିଲା ବଜ୍ର । ରୋଗରେ ପଡ଼ି ଲିଙ୍ଗରାଜଙ୍କ ପତ୍ନୀ ଟଭା ପର ପାରିକୁ ଚାଲିଗଲେ । କଅଁଳା ବୟସରେ ପିଲାମାନେ ମାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ବୋଝ ଉପରେ ଲଳିତା ବିଡ଼ା ପରି ଲିଙ୍ଗରାଜ ବି ଆଖି ବୁଜିଲେ । ବାପା, ମା ଡ଼କା ଡ଼କି ହୋଇ ଆରପାରିକୁ ଚାଲିଗଲା ପରେ ୧୩ ବର୍ଷର ସୁରେଶ ତାର ତିନି ଭାଇ ଭଉଣୀଙ୍କୁ କିପରି ପୋଷିବ ସେ ଚିନ୍ତାରେ ଘାରି ହେଉଥିଲା । ବାପା ମାଙ୍କୁ ଶୁଦ୍ଧି ହେବାକୁ ବି ପଇସାଟିଏ ନଥିଲା ଘରେ । ସାହି ଲୋକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ହେଲେ ପ୍ରଶାସନ କର୍ଣ୍ଣପାତ କରିନଥିଲା ।

ପିଲାଙ୍କ ଦୁଃଖ ଓ ପ୍ରଶାସନର ଉଦାସୀନତା ସାହିଭାଇଙ୍କ ହୃଦୟ ତରଳାଇ ଦେଇଥିଲା । ସାହି ଲୋକେ ଚାନ୍ଦା ଆଦାୟ କରି ପିଲାଙ୍କୁ ପାଳିବା ଦାୟିତ୍ୱ ନେଇଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ଓ ପ୍ରଶାସନ ଏହି ପିଲାମାନଙ୍କ ଶିକ୍ଷା ଦାୟିତ୍ୱ ନେଉ ବୋଲି ଦାବି ହୋଇଛି ।

18/01/2019

Leave a Reply

Your email address will not be published. Required fields are marked *

Comments