Bikash Khabar
ଶିକ୍ଷା ଅଧିକାର ପାଇଁ ଚାଲିଲେ ୬୦୦ କିଲୋମିଟର

ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ନାରା ଦେଇ ଆରମ୍ଭ ହୋଇଥିଲା ସର୍ବଶିକ୍ଷା ଅଭିଯାନ । ୬ରୁ ୧୪ ବୟସର ପ୍ରତ୍ୟେକ ପିଲାଙ୍କୁ ମାଗଣା ଶିକ୍ଷାଦାନ ପାଇଁ ପ୍ରଣିତ ହେଲା ଶିକ୍ଷା ଅଧିକାର ଆଇନ । ଏ ଆଇନକୁ ଢେର୍ କିଛି ବର୍ଷ ବିତି ଗଲାଣି । କିନ୍ତୁ ବିଦ୍ୟାଳୟ ବାରଣ୍ଡା ମାଡ଼ୁନଥିବା ପିଲାଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ଶିକ୍ଷା ଅଧିକାର ଆଇନର ଅସଲ ସ୍ଥିତିକୁ ଜନଗଣଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଏକ ଐତିହାସିକ ପଦଯାତ୍ରା ଆୟୋଜିତ ହୋଇଥିବା ଜଣାଯାଇଛି । ଏହି ପଦଯାତ୍ରା ନୂଆପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଉଦଯାପିତ ହୋଇଛି ।

 ଅକ୍ଟୋବର ୩୧ ରାଜଭବନ ଯିବା ପୂର୍ବରୁ ଅକ୍ଟୋବର ୨୯ ଓ ୩୦ ଦୁଇଦିନ ଧରି ଯୁବ ସାମାଜିକ କର୍ମୀ ମାନସ ପଟ୍ଟନାୟକଙ୍କ ସହଯୋଗରେ ଆବାହକ ସୁରଥ ବେହେରାଙ୍କ ନେତୃତ୍ବରେ  ଆସିଥିବା ପଦଯାତ୍ରା ଟିମ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା , ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ,ବିରୋଧୀ ଦଳ ନେତା ନରସିଂହ ମିଶ୍ର ,ବିଧାୟକ ଡଃ ଦାମୋଦର ରାଉତ ,ରାଜେନ୍ଦ୍ର ସାହୁ ସମେତ ଅନେକ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟି ଏହି ଦାବୀକୁ ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନରେ ସରକାରଙ୍କ ସମ୍ମୁଖରେ ରଖିବା ପାଇଁ ଅନୁରୋଧ କରିଥିଲେ । ଗତ ଅକ୍ଟୋବର ୩୧ ତାରିଖ ଦିନ ପୂର୍ବାହ୍ନରେ  ଶିକ୍ଷା ଅଧିକାର ସଂଘର୍ଷ ମହାସଂଘର ଆବାହକ ସୁରଥ ବେହେରାଙ୍କ ନେତୃତ୍ବରେ ମାଷ୍ଟର କ୍ୟାନ୍ଟିନ ଛକରୁ ରାଜଭବନ ଅଭିମୁଖେ ଏକ  ଶୋଭାଯାତ୍ରା  ବାହାରିଥିଲା ଏବଂ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହ ଆବାହକ ସୁରଥ ବେହେରାଙ୍କ ନେତୃତ୍ବରେ ଆସିଥିବା ୬ ଜଣିଆ ପଦଯାତ୍ରୀ ତିତିୟା ଆଡ଼ଜୁଏଡ, ସୁଭାଷ ଘିଭେଳା , ହେମସାଗର ପୁଞ୍ଜି , ଜମ୍ବେଶ୍ଵର ନାଗ , କ୍ଷୀରସିନ୍ଧୁ ସର୍ଗିୟା , ସୁରେଶ ଭୋଇ ସମେତ ସମାଜିକ କର୍ମୀ ପ୍ରମୋଦ କୁମାର ଦେବ ଏବଂ ଯୁବ ସାମାଜିକ କର୍ମୀ ମାନସ ପଟ୍ଟନାୟକଙ୍କ ନେତୃତ୍ବରେ ମହାମହିମ ରାଜ୍ୟପାଳଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଦୀର୍ଘ ୬୦୦ କିମି ପଦଯାତ୍ରାରେ ଆସିଥିବା ପଦଯାତ୍ରା ଟିମ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବାକୁ  ଚାହୁଁଥିଲେ ମଧ୍ୟ ନବୀନ ନିବାସ ତରଫରୁ ସାକ୍ଷାତ କରିବାର ସୁଯୋଗ ମିଳିନଥିଲା ବୋଲି ପଦଯାତ୍ରା ଟିମ ସହ ଅନେକ ସାମାଜିକ କର୍ମୀ , ବୁଦ୍ଧିଜୀବୀ ତଥା ଶିକ୍ଷାବିତ କ୍ଷୋଭ ପ୍ରକାଶ  କରିଛନ୍ତି । ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ ଛାତ୍ର ସଂସଦ ସଭାପତି ସଂଜୀବ ପତ୍ରୀ ,ସମ୍ଭାବନାର ସମ୍ପାଦକ ଦେବପ୍ରସାଦ ପରିଜା ,ଯୁବ ସାମାଜିକ କର୍ମୀ ତଥା ସହରରୁ ଗାଁର ଆବାହକ  ମାନସ ପଟ୍ଟନାୟକ, ସମାଜ ଆନ୍ଦୋଳନର ପ୍ରବକ୍ତା ପ୍ରମୋଦ କୁମାର ଦେବଙ୍କ ନେତୃତ୍ବରେ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ“ଓଡିଆଭାଷା ସୁରକ୍ଷା ଅଭିଯାନ”ପକ୍ଷରୁ  ଏକ ସାଧାରଣ ସଭାର ଆୟୋଜନ କରାଯିବା ସହ ଆବାହକ ସୂରଥ ବେହେରାଙ୍କ ସମେତ ଆସିଥିବା ସମସ୍ତ ୬ ଜଣ ପଦଯାତ୍ରୀଙ୍କୁ  ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ବରିଷ୍ଠ ଭାଷାବିତ ଡଃ ସୁବ୍ରତ ପୃଷ୍ଟିଙ୍କ ସଭାପତିତ୍ଵରେ ହୋଇଥିବା ଏହି ସାଧାରଣ ସଭାରେ ବରିଷ୍ଠ ସ୍ତମ୍ଭକାର ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ବିରେନ୍ଦ୍ର ନାୟକ ମୁଖ୍ୟ ଅତିଥି ,ସମଦୃଷ୍ଟିର ସମ୍ପାଦକ ତଥା ବରିଷ୍ଠ ସମାଜ ବିଜ୍ଞାନୀ  ସୁଧୀର ପଟ୍ଟନାୟକ ମୁଖ୍ୟବକ୍ତା,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଛାଇର ସମ୍ପାଦକ ସତୀଶ ମିଶ୍ର, ସମାଜ ଆନ୍ଦୋଳନର ସଭାପତି ପ୍ରଫେସର ଡଃ କୁଳମଣି ନାୟକ , ବରିଷ୍ଠ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ  ଯୋଗଦେଇ ଜନପ୍ରତିନିଧି ,ସରକାରୀ କର୍ମଚାରୀ , ଅଧିକାରୀଙ୍କ ପିଲା ସରକାରୀ ସ୍କୁଲରେ ପଢନ୍ତୁ ,ଯାହାଫଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ମତବ୍ୟକ୍ତ କରିଥିବା ବେଳେ ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ୬ ବର୍ଷରୁ ୧୪ ବର୍ଷ ପର‌୍ୟ୍ୟସନ୍ତ ସମସ୍ତ ଶିଶୁଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ  ଆଇନ ତିଆରି କରିଥିବା ଜନପ୍ରତିନିଧି ,ସରକାରୀ ଅଧିକାରୀ ତଥା ସରକାରୀ କର୍ମଚାରୀ ନିଜର ପିଲାଙ୍କୁ ପ୍ରଚୁର ଅର୍ଥ ବିନିଯୋଗ କରି ନିଜସ୍ଵ ପୁଞ୍ଜି (ସେଲ୍ଫ ଫାଇନାନ୍ସ)ରେ ପରିଚାଳିତ ବିଦ୍ୟାଳୟକୁ ପଠାଉଛନ୍ତି, ଯାହାଫଳରେ ଶିକ୍ଷା ସାମାଜିକ ବୈଷମ୍ୟ ଦୂର କରିବା ପରିବର୍ତ୍ତେ ସାମାଜିକ ବୈଷମ୍ୟ ବୃଦ୍ଧି ପାଉଛି ଏବଂ  ଶିକ୍ଷା ଏକ ବ୍ୟବସାୟରେ ପରିଣତ ହୋଇଛି  ,ତେଣୁ  ଶିକ୍ଷା ଅଧିକାର ଆଇନକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଜନପ୍ରତିନିଧି ଏବଂ ସମସ୍ତ ସରକାରୀ କର୍ମଚାରୀ ,ଅଧିକାରୀ ନିଜର ପିଲାଙ୍କୁ ସରକାରୀ ସ୍କୁଲରେ ପଢାନ୍ତୁ ଯାହାଫଳରେ ବିଦ୍ୟାଳୟସ୍ତରୀୟ ଶିକ୍ଷାରେ ସୁଧାର ଆସିବ ଏବଂ ତଦ ସହିତ ସରକାରୀ କର୍ମଚାରୀମାନଙ୍କ ପାଇଁ କାର‌୍ୟ୍ୟନସ୍ଥଳ ନିକଟରେ ସରକାରୀ ବାସଗୃହର ସୁବିଧା କରାଗଲେ ନାଗରିକମାନଙ୍କୁ ଉଚିତ ସେବା ଦିଆଯାଇପାରିବ ବୋଲି ଶିକ୍ଷା ଅଧିକାର ସଂଘର୍ଷ ମହାସଂଘର ଆବାହକ ସୁରଥ ବେହେରା ଆୟୋଜିତ ସାଧାରଣ  ସଭାରେ ନିଜର ଦାବି ବିଷୟରେ ମତବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ସମ୍ବର୍ଦ୍ଧନା କାର‌୍ୟ୍ୟ କ୍ରମରେ ୧୦୦ରୁ ଊର୍ଦ୍ଧ୍ଵ ବୁଦ୍ଧିଜୀବୀ ,ଶିକ୍ଷାବିତ, ସାମାଜିକ କର୍ମୀ ,ଯୁବକମାନେ ଯୋଗ ଦେଇ “ଶିକ୍ଷା ଅଧିକାର ସଂଘର୍ଷ ମହାସଂଘ”ର ଏଭଳି ଐତିହାସିକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଯୁବ ସାମାଜିକ କର୍ମୀ ତଥା ସହରରୁ ଗାଁର ଆବାହକ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
 

05/11/2018

Leave a Reply

Your email address will not be published. Required fields are marked *

Comments