Bikash Khabar
ପାନୀୟ ଜଳରେ ଗୋଡ଼ ଧୂଆ ନେଇ ଉଠିଲା ପ୍ରଶ୍ନ, ଲିଙ୍ଗରାଜ ମନ୍ଦିରରେ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଦାବୀ

ସ୍ମାର୍ଟ ସହରର କାୟା ବଢିଛି । ତାଳ ଦେଇ ବଢିଛି କୋଠାବାଡ଼ି, ଗାଡ଼ି ମଟର ଓ ଜନସଂଖ୍ୟା । ଲୋକଙ୍କ ଆବଶ୍ୟକତା ପାଇଁ ପୋତି ହୋଇଛି ଜଳାଶୟ । ମାଳ ମାଳ ବୋରିଂ ସତ୍ୱେ ଲୋକଙ୍କ ଶୋଷ ମେଣ୍ଟୁ ନାହିଁ । ସେପଟେ ଜଳ ଅପଚୟର ଶହ ଶହ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି । ଐତିହ୍ୟ ସମ୍ପନ୍ନ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ପିଇବା ପାଣିରେ ଗୋଡ଼ ଧୂଆ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ୱେଚ୍ଛାସେବୀ । ମନ୍ଦିର ଆଖପାଖରେ ବର୍ଷା ଜଳ ସଂରକ୍ଷଣ ଓ ଜଳ ପରିଚାଳନାକୁ କଡ଼ା କଡ଼ି କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ଛୋଟ ଛୋଟ ଉଦ୍ୟମ କଲେ ପିଇବା ପାଣିର ବଡ଼ ସଙ୍କଟକୁ ଟାଳି ଦିଆଯିବ ବୋଲି ମତ ପ୍ରକାଶ ପାଇଛି ।

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ପାର୍ଶରେ ପାଦ ପ୍ରକ୍ଷାଳନ ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ଆବଶ୍ୟକୀୟ ପାଣି ପାଇଁ ୬ଟି ୨ହଜାର ଲିଟର ପାଣି ଟାଙ୍କି ବସାଯାଇଛି । ଏଥିରେ ଦିନକୁ ୨ ଥର ପାଣି ଭର୍ତ୍ତି କରାଯାଉଛି । ସରକାର ଦର ଅନୁଯାୟୀ ପାଣି ଲିଟରକୁ ୧୭ ପଇସା ହିସାବରେ ଦିନକୁ ୪୦୦ ଟଙ୍କାର ଜଳ ଖର୍ଚ୍ଚ ହୋଇଥାଏ । ବାର୍ଷିକ ୧୨ ଲକ୍ଷ ୨୪ ହଜାର ଟଙ୍କା ଗୋଡ଼ ଧୋଇବା ଜଳରେ ଖର୍ଚ୍ଚ ହୁଏ । ତାକୁ ଅଟକାଇ ବିଶୋଧନ କରି ପୁଣି ଥରେ ବ୍ୟବହାର କରାଯିବା ଭଳି ବନ୍ଦୋବସ୍ତ ହେଉନାହିଁ । ଗୋଡ଼ ଧୂଆ ପାଇଁ ପିଇବା ପାଣିର ଏଭଳି ଅପବ୍ୟବହାରକୁ ନେଇ ସମାଜସେବୀ ସୁଶାନ୍ତ ସାହୁ ପ୍ରଶ୍ନ ଉଠାଇଛନ୍ତି । ଜଳ ସଂରକ୍ଷଣ, ବିଶୋଧନ ଓ ପୁନଃ ବ୍ୟବହାର ସଂପର୍କିତ ଏକ ପ୍ରସ୍ତାବ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ୭୨ ହଜାର ଲିଟର ଜଳକୁ ପୁନଃ ବ୍ୟବହାରରେ ସକ୍ଷମ କରାଇବା ପାଇଁ ଏକ ପ୍ରସ୍ତାବନା ଦିଆଯାଇଛି । ଏଥିରେ ମୋଟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହା କାର୍ଯ୍ୟକାରୀ କରାଗଲେ ମାସକୁ ୫ ଲକ୍ଷ ୪୦ ହଜାର ଲିଟର ଜଳର ପୁନଃଚକ୍ରଣ ସମ୍ଭବ ପର ହୋଇପାରିବ ବୋଲି କୁହାଯାଇଛି ।

09/03/2019

Leave a Reply

Your email address will not be published. Required fields are marked *

Comments