Bikash Khabar
ଭାରତରେ ମହିଳା ଆତ୍ମହତ୍ୟା ଉଦବେଗ ଜନକ - ଅଧ୍ୟୟନ

ଆମ ଦେଶରେ ପ୍ରତି ୧ଲକ୍ଷ ମହିଳା ଜନସଂଖ୍ୟା ମଧ୍ୟରୁ ୧୫ ଜଣ ଆତ୍ମହତ୍ୟା କରନ୍ତି । ବିଶ୍ୱରେ ଏହି ହାର ୭ ରହିଛି । କର୍ଣ୍ଣାଟକରେ ପ୍ରତି ୧ଲକ୍ଷଙ୍କ ମଧ୍ୟରୁ ୩୦ ଜଣ ଆତ୍ମହତ୍ୟା କରୁଥିବାବେଳେ କେରଳରେ ଏହି ସଂଖ୍ୟା ୨୧ । ବିହାରରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୭.୪ ଏବଂ ନାଗାଲାଣ୍ଡରେ ୪.୮ ଜଣ ଆତ୍ମହତ୍ୟା କରିଥାନ୍ତି । ଆତ୍ମହତ୍ୟାର କାରଣକୁ ଜାଣିବାକୁ ହେଲେ ସାମାଜିକ ଓ ସାଂସ୍କୃତିକ ଦିଗ ଗୁଡ଼ିକୁ ନେଇ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ଏକ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ।
ବିଶ୍ୱରେ ମହିଳାଙ୍କ ଦ୍ୱାରା ହେଉଥିବା ଆତ୍ମହତ୍ୟା ଘଟଣା ମଧ୍ୟରୁ ଆମ ଦେଶରେ ଏକ ତୃତୀୟାଂଶରୁ ଅଧିକ ଆତ୍ମହତ୍ୟା ଘଟଣା ଦେଖାଯାଇଥାଏ । ଭାରତରେ ଉଦବେଗଜନକ ଭାବେ ଯୁବାପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ରିପୋର୍ଟ କହୁଛି । ଲନସେଟ ମେଡ଼ିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ହେଉଥିବା ମହିଳା ଆତ୍ମହତ୍ୟା ସଂଖ୍ୟା ମଧ୍ୟରୁ ଭାରତରେ ୩୭ ପ୍ରତିଶତ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଥାଏ । ଆତ୍ମହତ୍ୟା କ୍ଷେତ୍ରରେ ପଶ୍ଚିମବଙ୍ଗ ଦେଶର ଶୀର୍ଷରେ ଥିବାବେଳେ କର୍ଣ୍ଣାଟକ, ତ୍ରିପୁରା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଆତ୍ମହତ୍ୟା ସଂଖ୍ୟା କମ୍ ଥିବା ଜଣାଯାଇଛି ।
ବ୍ୟକ୍ତିଗତ ସମସ୍ୟା, ଘରୋଇ ହିଂସା, ଆର୍ଥିକ ସଙ୍କଟ ଏବଂ ନିଶା ଗ୍ରସ୍ତ ହେବା ଆତ୍ମହତ୍ୟାର କାରଣ ବୋଲି ଏହି ରିପୋର୍ଟରେ କୁହାଯାଇଛି । 
 

14/09/2018

Leave a Reply

Your email address will not be published. Required fields are marked *

Comments